ସୁପ୍ରିମକୋର୍ଟ ଦେଲେ ଜାମିନ, ଜେଲରୁ ମୁକୁଳିବେ ଦୁର୍ନୀତିଗ୍ରସ୍ଥ ନେତା ପି. ଚିଦାମ୍ୱରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ଜାମିନ ଦେବା ବେଳେ ସର୍ବୋଚ୍ଚ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଓ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ନ କରିବାକୁ କୋର୍ଟ ତାଙ୍କୁ କଡ଼ା ତାଗିଦ୍ କରିଛନ୍ତି । ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯାଇପାରିବେ ନାହିଁ । ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ୱାରା ଦାଏର ହୋଇଥିବା ମାମଲାରେ ଚିଦାମ୍ୱରମ ଜାମିନ୍ ପାଇସାରିଛନ୍ତି ।

ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ସେ ଏହି ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ । ଜେଲ୍‌ରେ ଥିବା ବେଳେ ହିଁ ମନି ଲଣ୍ଡରିଂ ମାମଲାରେ ଅକ୍ଚୋବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ । ଗତ ଗୁରୁବାର ସୁପ୍ରିମକୋର୍ଟ ଇଡି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହା ପୂର୍ବରୁ ଇଡି ମାମଲାରେ ହାଇକୋର୍ଟ କିନ୍ତୁ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଥିଲେ । ଏହାପରେ ସେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇଏନଏକ୍ସ ମିଡିଆ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା । ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା । ଏହାପରେ ସିବିଆଇ ମେ ୨୦୧୭ରେ ଚିଦାମ୍ୱରମଙ୍କ ବିରୋଧରେ ଏତଲା ଦେଇଥିଲା ।

Leave a comment