ରାଜଧାନୀରେ ଷଣ୍ଢ ଦୌରାତ୍ମ, ୨ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ବଢି ଚାଲିଛି ଷଣ୍ଢଙ୍କ ଦୌରାତ୍ମ । ଗତକାଲି ଷଣ୍ଢ ଆକ୍ରମଣରେ ବଡଗଡ଼ ସ୍କୁଲ ଛକରେ ଜଣେ ଯୁବତୀ ଓ ଲକ୍ଷ୍ମୀସାଗର କେନାଲ ରୋଡ଼ରେ ଜଣେ ଛୋଟ ପିଲା ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଛି ବର୍ଷ ତଳେ ଭୁବନେଶ୍ୱର ଉପକଣ୍ଠରେ ଗୋଶାଳାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହାର ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଏପରିକି ବାତ୍ୟା ଫନି ପରେ ଖାଇବାକୁ ନପାଇ ଅନେକ ଗାଈ ଓ ଷଣ୍ଢ ସେଠାରେ ମୃତ୍ୟୁ ବରଣ କରିଥିଲେ ଯାହାକୁ ଚାପି ଦିଆଯାଇଥିଲା ବୋଲି ଶୁଣିବାକୁ ମିଳୁଛି । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ଗୋଶାଳାର ବ୍ୟବସ୍ଥା ଅଛି ତେବେ ମାଳ ମାଳ ଗାଈ ଓ ଷଣ୍ଢ ରାଜଧାନୀର ରାଜରାସ୍ତାରେ କ’ଣ କରୁଛନ୍ତି । ରାଜମହଲ ଛକ ଓଭର ବ୍ରିଜ ତଳ ଓ କଳ୍ପନା ଛକ ଦେଖିଲେ ଅନୁମାନ ହୁଏ ସତେ ଯେପରି ଗାଈ ଓ ଶଣ୍ଢଙ୍କୁ ସରକାର ସେହି ସ୍ଥାନ ପାଇଁ ପରମିଟ ପ୍ରଦାନ କରିଛନ୍ତି ।

ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱରର ପ୍ରତି ଛକରେ ଦେଖିବାକୁ ମିଳୁଛନ୍ତି ମାଳ ମାଳ ଷଣ୍ଢ, ଗାଈ ଓ କୁକୁର । ଏମାନଙ୍କ ଉପରେ ମ୍ୟୁନିସପାଲଟିର ଲଗାମ ନାହିଁ କି ନିଘା ନାହିଁ । କିଛି ଲୋକ ଗାଈ ପାଳୁଛନ୍ତି ମାତ୍ର ତାଙ୍କୁ ଘରେ ନବାନ୍ଧି ରାସ୍ତାରେ ଛାଡ଼ିଦେଉଛନ୍ତି । ସେହିପରି ବୁଲା କୁକୁର ମାନଙ୍କ ପାଇଁ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ପୂର୍ବରୁ ମଧ୍ୟ ବଡଗଡ଼ ଛକରେ ଷଣ୍ଢ ଆକ୍ରମଣରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବତୀ ବଡଗଡ଼ ଛକ ନିକଟରେ ଷଣ୍ଢ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଏମସରେ ଭର୍ତ୍ତି ହୋଇଛନ୍ତି । ସେହିପରି ଲକ୍ଷ୍ମୀସାଗର କେନାଲ ରୋଡ଼ରେ ଜଣେ ୮ବର୍ଷର ଶିଶୁ ଟ୍ୟୁସନ ଯିବା ସମୟରେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲା । ସୌଭାଗ୍ୟ ବଶତଃ ପିଲାଟି ବଞ୍ଚିଯାଇଥିଲେ ମଧ୍ୟ ତାର ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Leave a comment