ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ; ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ

0

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ବକପ ୨୦୨୩ର ଉଦଘାଟନୀ ଉତ୍ସବ । ଏଥିପାଇଁ ଦର୍ଶକଙ୍କ ଖଚାଖଚ ଭିଡ଼ ରହିଛି । ଉଦଘାଟନୀ ସମାରୋହକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟ ଉଦଘାଟନୀ ପର୍ବ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ମାତ୍ର ଏହା ପୂର୍ବରୁ ଓଲିଉଡ଼ କଳାକାରଙ୍କୁ ନେଇ ଅପରାହ୍ନ ୩ଟା ୩୦ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାସହ ଷ୍ଟାଡିୟମରେ ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳୁଛି । ରାପର ବିଗ୍ ଡିଲଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଉଥିବାବେଳେ ଲୋକମାନେ ଏହାର ମଜା ଉଠାଉଛନ୍ତି ।

ସନ୍ଧ୍ୟାରେ ବଲିଉଡ୍‌ ଷ୍ଟାର୍‌ ଆଇକନ୍‌ ତଥା ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି ସମାରୋହର ମୁଖ୍ୟ ଆକର୍ଷଣ ସାଜିବେ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ଙ୍କ ମ୍ୟୁଜିକ୍‌ରେ ଝୁମିବେ ଦର୍ଶକ । ପ୍ରୀତମ୍‌ ନିଜ ଟିମ୍‌ ସହ କିଛି ସୁପରହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେବେ । ସେହିପରି କଣ୍ଠଶିଳ୍ପୀ ଭାବେ ବେନି ଦୟାଲ୍‌, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମନ୍ତ ଚନ୍ଦ୍ର, ନକାସ ଆଜିଜ୍‌ଙ୍କ ଭଳି କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ହକି ଉତ୍ସବକୁ ସମଗ୍ର ରାଜ୍ୟବାସୀ ଯେପରି ଦେଖିପାରିବେ ତାହାର ମଧ୍ୟ ବ୍ୟବସ୍ଥା ହୋଇଛି । ବାରବାଟୀରେ ଉଦଘାଟନୀ ସହ ଭୁବନେଶ୍ୱର, ରାଉରକେଲା ଏବଂ ପୁରୀରେ ଦୈନିକ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି ।

Leave a comment