ଅନଭିଜ୍ଞଙ୍କୁ ଦାୟିତ୍ୱ, ପରିଣାମ : ଜଣଙ୍କୁ ମିଳିଛି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ, ଆଶାୟୀ ହତାଶ
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଅନେକ ବିଳମ୍ବ ପରେ ବିଜେଡ଼ିର ପ୍ରକାଶ ପାଇଛି ମୁରବି ବିହୀନ ଯୁବ ଏବଂ ଛାତ୍ର ଥଇଥାନ ତାଲିକା । ଏହି ତାଲିକା ପ୍ରକାଶ ପାଇବା ପରେ ବିଜେଡ଼ିରେ ଯୁବ ଓ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଚୟନ ଦାୟିତ୍ୱରେ ଥିବା ଅନଭିଜ୍ଞ ନେତା ଅନୁଭବୀ ନେତାଙ୍କ ପରାମର୍ଶ ନେବା ବଦଳରେ ନିଜ ଅନୁଗତଙ୍କୁ ମନଇଚ୍ଛା ପଦ ପ୍ରଦାନ କରିଥିବା ଅଭିଯୋଗ ସମ୍ନାକୁ ଆସିଛି । ଏପରିକି ଯେଉଁ ମାନେ ଛାତ୍ର ରାଜନୀତିରେ ଜଡିତ ରହି ବିଜେଡ଼ି ପାଇଁ ନିଜର ମୂଲ୍ୟବାନ ସମୟ ପ୍ରଦାନ କରିଥିଲେ ସେମାନଙ୍କୁ ଏଥିରେ ସ୍ପଷ୍ଟ ଭାବେ ଅଣଦେଖା କରାଯାଇଥିବା ଏବଂ କିଛି ବରିଷ୍ଠ ପଦରେ ଥିବା ଛାତ୍ର ନେତାଙ୍କୁ କନିଷ୍ଠ ପଦ ପ୍ରଦାନ କରାଯିବା ଭଳି ଅଭିଯୋଗ ବିଭିନ୍ନ ସୋସିଆଲ ମେଡିଆରେ ଘୁରିବୁଲୁଛି ।
ଏସମସ୍ତ ଅଭିଯୋଗ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୋଗ୍ୟ ଛାତ୍ର ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ଜଣେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦର ଅଧିକାରୀ ହୋଇଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବ ଥଇଥାନ ତାଲିକାରେ ଭବାନୀ ଶଙ୍କର ଦାସଙ୍କୁ ଉପସଭାପତି ଚୟନ କରାଯାଇଥିବାବେଳେ ସେ ପୁଣି ଛାତ୍ର ଉପସଭାପତି ଭାବେ କିପରି ଚୟନ ହେଲେ ଏହାକୁ ନେଇ ଆଶାୟୀ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜ ଅଭିଯୋଗ ପୋଷ୍ଟ କରୁଛନ୍ତି । ଭାବନି ଶଙ୍କରଙ୍କ ପାଇଁ ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ ଲବୀ କରିଥିବା ମଧ୍ୟ ଚର୍ଚ୍ଚାର ପରିସର ଭୁକ୍ତ ହେଉଛି । ଅନେକ ଯୋଗ୍ୟ ଆଶାୟୀ ଥିବା ସତ୍ତ୍ୱେ ଏଭଳି ତାଲିକା ପ୍ରକାଶ ପାଇବା ଓ ଚୟନକର୍ତ୍ତା ତାଲିକାଭୁକ୍ତଙ୍କ ମଧ୍ୟରୁ ୧୦ ଜଣଙ୍କୁ ମଧ୍ୟ ଚିନ୍ହି ନଥିବାକୁ ନେଇ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।