ରାଜଧାନୀରେ ଗଲା ଡେଙ୍ଗୁରେ ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଡେଙ୍ଗୁରେ ଆଉ ଏକ ମୁଣ୍ଡ ଗଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେବାରେ ପରେ ଆଖି ବୁଜିଛନ୍ତି । ଦୁନିଆ କଣ ବୁଝିବା ଆଗରୁ ମା କୁ ହରାଇଛି ନବଜାତ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତଃ ଥିବାବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଭିଏସ୍ଏସ୍ ନଗରର ଜଣେ ମହିଳାଙ୍କର ଶନିବାର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସ୍ତ୍ରୀ ଓ ପ୍ରସ୍ତୂତି ବିଭାଗରେ ରବିବାର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଦେହ ହାତ ଥରିବା ସହ ଜର ବଢିଥିଲା । ଏନେଇ ସଙ୍ଗେ ସଙ୍ଗେ ହସ୍ପିଟାଲ ପକ୍ଷରୁ ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପିଜିଟିଭ ଆସିିଥିଲା । ହେଲେ ସେତେବେଳକୁ ସେ ଆଖି ବୁଜି ସାରିଥିଲେ ।
ମହିଳାଙ୍କ ମୃତ୍ୟୁକୁ ନେଇ ଏନେଇ କିଛି ସମୟ ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ଘଟିଛି । ଶିଶୁ ପୁତ୍ରର ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ଆସିୟୁରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଷ୍ଟିଂ କମ ହେଉଥିବାରୁ ଡେଙ୍ଗୁ ସଂକ୍ରମଣ ଜାଣିବା ମୁସ୍କିଲ ହେଉଛି । ମାତ୍ର ୩ଟି ସ୍ଥାନ (କ୍ୟାପିଟାଲ ହସ୍ପିଟାଲ, ଆରଏମ୍ଆରସି ଓ ଏମ୍ସ)ରେ ପରୀକ୍ଷା ହେଉଛି । ମହିଳାଙ୍କ କ୍ଷେତ୍ରରେ ସମାନ ଦଶା ଦେଖିବାକୁ ମିଳିଛି । ପୂର୍ବରୁ ଯଦି ପରୀକ୍ଷା ହୋଇଥାନ୍ତା ହୁଏତ ମୂଲ୍ୟବାନ ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି କୁହାଯାଉଛି ।