ମହାନଦୀ ପ୍ରସଙ୍ଗ, ଭାଜପା ଓ କଂଗ୍ରେସକୁ ସମାଲୋଚନା କଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ ପୁଣି ଘନେଇଛି ମହାନଦୀ ବିବାଦ। ରାଜ୍ୟର ୩ପ୍ରମୁଖ ଦଳ ଅନ୍ୟ ଉପରେ ଦୋଷ ଲଦା ଲଦି ହେଉଛନ୍ତି । ମହାନଦୀ ପ୍ରସଙ୍ଗରେ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡିକୁ ନିଶାନା କରିଥିବା ବେଳେ ଉଭୟ ଭାଜପା ଓ କଂଗ୍ରେସକୁ ସମାଲୋଚନା କରିଛି ବିଜେଡି । ଓଡିଶାର ଦାବିକୁ ଭାଜପା ଓ କଂଗ୍ରେସ ବାରମ୍ବାର ଅଣଦେଖା କରୁଛନ୍ତି ଏବଂ ତାର ଏକ ନଗ୍ନ ଚିତ୍ର ମହାନଦୀ ବିବାଦ ଭାବେ ରାଜ୍ୟବାସୀ ଦେଖୁଛନ୍ତି । ଯେଉଁ ପରି ଭାବରେ ଭାରତୀୟ ଜନତା ପାର୍ଟି ଓଡିଶା ବିରୋଧୀ ମନୋଭାବ ରଖିଥିଲା ଏବଂ ଛତିଶଗଡକୁ ସମର୍ଥନ କରୁଥିଲା ଠିକ୍ ସେହି ଢଙ୍ଗରେ କଂଗ୍ରେସ ମଧ୍ୟ ଓଡିଶାକୁ ଅଣଦେଖା କରିଚାଲିଛି । ବେଆଇନ ବ୍ୟାରେଜ ନିର୍ମାଣ ବନ୍ଦ କରିବା ପରିବର୍ତ୍ତେ ଛତିଶଗଡର ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ଏହାକୁ ନେଇ ରାଜନୀତି କରୁଛନ୍ତି । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସେମାନଙ୍କୁ ନିଶ୍ଚୟ ଏହାର ଜବାବ ଦେବେ ବୋଲି ଏକ ପ୍ରେସ ମିଟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।