୫ ବର୍ଷରେ ଓଡ଼ିଶା ୧ ନଂ. ରାଜ୍ୟ ହେବ: ରାଜନାଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିଓ୍ବେଟମାନେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇ ବିଜେପି ଭୋଟ ମାଗୁଥିବା କେନ୍ଦ୍ର ସରକାରଙ୍କ ଅବହେଳାକୁ ଅସ୍ତ୍ର କରିଛି ବିଜେଡି । ସେପଟେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିର ବିଫଳତା ଲୋକଙ୍କୁ କହି ଅଧିକରୁ ଅଧିକ ଭୋଟ ହାତେଇବାକୁ ଚେଷ୍ଟା କରୁଛି ।

ଆଜି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଯାଜପୁର ଜିଲା ବରୀରେ ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରାଯାଇନାହଁ । ଏହି ଯୋଜନାରେ ଲକ୍ଷ ଲକ୍ଷ ଗରିବ ଲୋକ ଉପକୃତ ହେଉଥିବା ବେଳେ ଓଡ଼ିଶାର ଲୋକମାନଙ୍କୁ ଏଠାକାର ସରକାର ସେହି ସୁବିଧା ଦେଉନାହାନ୍ତି । ଏଥିସହିତ ଦୀର୍ଘ ୨୦ବର୍ଷ ଧରି ଏଠାରେ ବିଜେଡି ଶାସନ କରୁଥିବା ବେଳେ ଓଡ଼ିଶାର ବିକାଶ ଦିଗରେ ଦୃଷ୍ଟି ଦିଆଯାଇନାହିଁ । ଓଡ଼ିଶାରେ ବିଜେପିକୁ ୫ ବର୍ଷ ସୁଯୋଗ ଦେଲେ ଏହାକୁ ୧ ନମ୍ବର କରିବୁ ବୋଲି ରାଜନାଥ ପ୍ରତିଶୃତି ଦେଇଥିଲେ । ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ପକ୍କା ଘର, ଗ୍ୟାସ ସିଲିଣ୍ଡର ନିଶ୍ଚିତ ଯୋଗାଇ ଦିଆଯିବ । ସେହିପରି ଦେଶ କଂଗ୍ରେସ ମୁକ୍ତ ହେବା ପରେ ହିଁ ଗରିବୀମୁକ୍ତ ହେବ ବୋଲି ରାଜନାଥ ତାଙ୍କ ଅଭିଭାଷଣରେ କହିଥିଲେ । ବରୀ ପରେ ସେ ଚାନ୍ଦବାଲି ଓ ଗୋପଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଉଭୟ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ।

Leave a comment