ମେ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ : ଗଣଶିକ୍ଷା ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ ୨୦ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ।  ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ଚାଲିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ମେ ୧୯ ତାରିଖ ସୁଦ୍ଧା ପରୀକ୍ଷା ନିରୀକ୍ଷକମାନେ ସବୁ କେନ୍ଦ୍ରରେ ପହଞ୍ଚିବେ। ଏହି ସମୟରେ ସାମାଜିକ ଦୂରତା ପାଳନ କରି ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାଙ୍କନ କରାଯିବ। କଣ୍ଟେନମେଣ୍ଟ ଜୋନରେ ଯଦି କୌଣସି ଖାତା ଦେଖା କେନ୍ଦ୍ର ଥାଏ, ତା’ହେଲେ ବୋର୍ଡ ନିଷ୍ପତ୍ତି ନେଇ କାର୍ଯ୍ୟ କରିବ | ନିୟୋଜିତ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଚେଷ୍ଟା କରାଯିବ ବୋଲି ବି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜ୍ରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତ ଫେବ୍ରୁଆରି ମାସ ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ମାର୍ଚ୍ଚ ୧୮ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। କିନ୍ତୁ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଏବର୍ଷ ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି।

Leave a comment