ବସରେ ଓଡିଶା ଫେରିବେ ଗୁଜୁରାଟରେ ଥିବା ପ୍ରବାସୀ ଓଡିଆ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରବାସୀ ଓଡିଆ ଶ୍ରମିକଙ୍କୁ କିପରି ନିରାପଦ ଭାବେ ଓଡିଶା ଫେରାଇ ଅଣାଯିବ ଏସମ୍ୱନ୍ଧରେ ଆଲୋଚନା ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲଥିଲେ । ଏହି ଆଲୋଚନା ପରେ ଗୁଜରାଟରେ ଥିବା ଶ୍ରମିକ ମାନଙ୍କୁ ବସ ଯୋଗେ ଓଡିଶା ଫେରାଇ ଆଣିବାର ବ୍ୟବସ୍ତା କରାଯାଉଛି । ଓଡିଶା ଫେରିବାକୁ ଥିବା ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ କରାଯାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ଗୁଜୁରାଟରେ ସବୁଠାରୁ ଅଧିକ ଓଡ଼ିଆ ଶ୍ରମିକ ଥିବାରୁ ଦୁଇ ରାଜ୍ୟ ମଧ୍ୟରେ ଏକ ସମନ୍ୱୟ କମିଟି ଗଠନ କରାଯିବା ସହ ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ କମିଟିର ଦାୟିତ୍ଵ ଦିଆଯିବ।
ଅପରପକ୍ଷରେ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ବସ ଗୁଡ଼ିକୁ ରୋଡ ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ରୋଡ୍ ଟ୍ୟାକ୍ସ ଛାଡ ନେଇ ୪ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।