ଶ୍ରମ ମନ୍ତ୍ରୀ ୱେବ ପୋର୍ଟାଲ ‘ଓଡିଆ ଫଳକ’ର କଲେ ଲୋକାର୍ପଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଏକ ୱେବ ପୋର୍ଟାଲ ‘ଓଡିଆ ଫଳକ’ର ଲୋକାର୍ପଣ କରାଯାଇଛି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ବାଣିଜିୟକ ପ୍ରତିଷ୍ଠାନର ନାମ ଫଳକ ଓଡିଆ ଭାଷାରେ ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କ ଭାଗିଦାରୀ ଏବଂ ଆବଶ୍ୟକୀୟ ଦାୟିତ୍ୱବୋଧ ପାଳନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ରାଜ୍ୟରେ ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନାରେ ପ୍ରଣୟନ ସହିତ ଭିନ୍ନ ଭିନ୍ନ ଶ୍ରମ ଆଇନର ପ୍ରବର୍ତ୍ତନ କରାଯାଉଛି । ତନ୍ମଧ୍ୟରୁ ଓଡିଶା ଦୋକନ ଓ ବାଣିଜିୟକ ପ୍ରତିଷ୍ଠାନ ଅଧିନିୟମ ଅନ୍ୟତମ,ଯେଉଁଥିରେକି ପ୍ରତିଷ୍ଠାନ ଗୁଡିକରେ ଓଡିଶା ଭାଷାରେ ନାମ ଫଳକ ପ୍ରଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି ।
ରାଜ୍ୟର ଅନେକ ଦୋକାନ ଓ ବାଣିଜିୟକ ପ୍ରତିଷ୍ଠାନ ଗୁଡିକରେ ନାମ ଫଳନ ଓଡିଆ ଭାଷାରେ ଲେଖା ଯାଉନଥିବାରୁ ଅନ୍ୟ ଭାଷା ଜାଣି ନଥିବା ଓଡିଆ ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉପରୋକ୍ତ ଆଇନରେ ସମସ୍ତ ପ୍ରତିଷ୍ଠାନ ଗୁଡିକରେ ନାମ ଫଳକ ଓଡିଶା ଭାଷାରେ ପ୍ରଦର୍ଶନର ବ୍ୟବସ୍ଥା ରହିଥିବା ମଧ୍ୟ ଅନେକ ପ୍ରତିଷ୍ଠାନର ମାଲିକମାନେ ତାହା ଯଥାରିତି ପାଳନ କରୁନାହାନ୍ତି । ଏଥି ନିମନ୍ତେ ଆଜିଠାରୁ ‘ଓଡିଶା ଫଳକ’ ନାମକ ଏକ ୱେବ ପୋର୍ଟାଲ ଶୁଭ ଆରମ୍ଭ କରାଯାଉଅଛି । ଯାହା ମାଧ୍ୟମରେ ସାଧାରଣ ଜନତା ଏସମ୍ପର୍କରେ ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ ଏବଂ ତଦନୁଯାୟୀ ପ୍ରତିଷ୍ଠାନର ମାଲିକଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।
ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଥିବା ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳଗତ ଭାବେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ସ୍ୱଚ୍ଛତାର ସହିତ ସମୟୋଚିତ ପତକ୍ଷପ ଗ୍ରହଣ ଦ୍ୱାରା କାର୍ଯ୍ୟ ଶୈଳିର ରୂପାନ୍ତରଣ କ୍ଷେତ୍ରରେ ଅନ୍ୟତମ ପ୍ରୟାସ । ଏହା ଦ୍ୱାରା ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବା କ୍ଷେତ୍ରର ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ନିଶ୍ଚିତ ଭାବରେ ଫଳପ୍ରଦ ହୋଇପାରିବ । ଯାହା ଫଳରେ ରାଜ୍ୟରେ ଓଡିଆ ଭାଷାୀର ବହୁଳ ପ୍ରଚାର ଓ ପ୍ରସାର ହେବା ସହିତ ଓଡିଶାର ସ୍ୱାଭିମାନ ନିଶ୍ଚିତ ଭାବେ ସମୃଦ୍ଧ ହୋଇପାରିବ ।
ଏହି ୱେବ ପୋର୍ଟାଲ ‘ଓଡିଆ ଫଳକ’କୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଦ୍ୟମ କରିଥିବାରୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ନିତେନ ଚନ୍ଦ୍ର, ଶ୍ରମ କମିଶନର ନିରଂଜନ ସାହୁ,ଶ୍ରମ ବିଭାଗ ଓ ଶ୍ରମ ନିର୍ଦେଶଳୟର ବରିଷ୍ଠ ଅଧିକାରୀ ଏବଂ ଓକାକ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ସିଂ ଅଭିନନ୍ଦନ ଜଣାଇଥିଲେ ।