ସ୍ୱୟମ ପୋର୍ଟାଲରେ ନାହିଁ ‘ଓଡ଼ିଆ’ ଭାଷା, କେନ୍ଦ୍ର ନିକଟରେ ପ୍ରସଙ୍ଗ ଉପସ୍ଥାପନ କରିବେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ‘ସ୍ୱୟମ’ ଅନଲାଇନ ଶିକ୍ଷା ପୋର୍ଟାଲରେ ଓଡ଼ିଆ ଭାଷାକୁ ସ୍ଥାନିତ କରି ନାହାନ୍ତି। ରାଜ୍ୟ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ପ୍ରସଙ୍ଗକୁ କେନ୍ଦ୍ର ନିକଟରେ ଉପସ୍ଥାପନକରିବେ ବୋଲି ସେ କହିଛନ୍ତି। କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ବୁଝାମଣା କରିବେନି ବୋଲି ମଧ୍ୟ ସେ ସ୍ପଷ୍ଟ କରିଦେଇଛନ୍ତି।
କୋଭିଡ-୧୯ ମହାମାରୀ ଲାଗି ସାରା ଦେଶରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ପଡିଛି। ଏଣୁ ଛାତ୍ରଛାତ୍ରୀ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ସ୍ୱୟମ ଅନଲାଇନ ଶିକ୍ଷା ପୋର୍ଟାଲରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ପ୍ରାଦ୍ୟୋଗିକୀ, ଫାର୍ମାସୀ, ହ୍ୟୁମାନ ଏଣ୍ଡ ସୋସିଆଲ ସାଇନ୍ସ, ଆଇନ ଓ ପ୍ରବନ୍ଧନ ସମେତ ଅନେକ ବିଷୟରେ ଅଧ୍ୟୟନ ସାମଗ୍ରୀ ରହିଛି।
ଏହି ସବୁ ଶିକ୍ଷଣ ସାମଗ୍ରୀକୁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଅଭିଜ୍ଞ ପ୍ରଫେସରମାନେ ପ୍ରସ୍ତୁତ କରୁଛନ୍ତି। ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଓଡ଼ିଆ ସମେତ ୧୦ଟି ଭାଷାରେ ସ୍ୱୟମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏବେ ପୋର୍ଟାଲ କାର୍ଯ୍ୟକ୍ଷମ ହେଲାଣି। ତେବେ ଏଥିରେ ଓଡ଼ିଆ ଭାଷା ନଥିବା ଜଣାପଡିଛି। ଓଡିଆ ଭାଷାକୁ ସ୍ଥାନ ନଦେଇ ମନ୍ତ୍ରାଳୟ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାଲାଭରୁ ବଞ୍ଚିତ କରିଛନ୍ତି। ଏଣୁ ପ୍ରସଙ୍ଗରେ ପୁଣି ବିଚାର କରିବାକୁ ଶିକ୍ଷାମନ୍ତ୍ରାଳୟଙ୍କୁ ନିବେଦନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।