ଏଣିକି ପରିବହନ ସମ୍ବନ୍ଧିତ ଏହି ୭ଟି ସେବା ପାଇଁ ଯିବାକୁ ହେବନି ଆର୍‌ଟିଓ, ଫୋନ ଜରିଆରେ ଏହାର ଉଠାଇ ପାରିବେ ଲାଭ

ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

0

ଘରେ ବସି ପରିବହନ ସଂକ୍ରାନ୍ତ ୭ଟି ସେବା ସାଧାରଣ ଲୋକେ ପାଇପାରିବେ । ଏଥିପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ ନାହିଁ । ମୋବାଇଲ୍‌ରେ ‘ଏମ୍‌- ପରିବହନ’ ଆପ୍‌ ଡାଉନ୍‌ଲୋଡ୍‌ କରି ଜଣେ ବ୍ୟକ୍ତି ଏସବୁ ସୁବିଧା ପାଇବା ପାଇଁ ଆବେଦନ କରିପାରିବେ । ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିବେ ।

ସେହିପରି ଡ୍ରାଇଭରଙ୍କୁ ତାଲିମ୍‌ ଦେବା ଲାଗି ଗଞ୍ଜାମର ପାଲୁର୍‌ଠାରେ ପ୍ରତିଷ୍ଠିତ ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍‌ଲାଇନ୍‌ରେ ସାଧାରଣ ଲୋକେ କିପରି ଉତ୍ତମ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ନିଆଯାଇଛି । ଏଥିରେ ୭ଟି ସେବା ପରିବହନ କାର୍ଯ୍ୟାଳୟକୁ ନ ଯାଇ ଘରେ ବା ନିଜ କମ୍ପ୍ୟୁଟର ବା ଲାପ୍‌ଟପ୍‌ ବ୍ୟବହାର କରି ସାଧାରଣ ଲୋକ ପାଇପାରିବେ । ଏହି ୭ଟି ସେବା ଯଥା, ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌), ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)ର ରିନୁଆଲ୍‌ ବା ନବୀକରଣ, ଡିଏଲ୍‌ ପାଇଁ ପୁନଃଆବେଦନ, ଡିଏଲ୍‌ରେ ଠିକଣା ପରିବର୍ତ୍ତନ, ଗାଡ଼ି ଓନରସିପ୍‌ ଟ୍ରାନ୍ସଫର୍‌, ଗାଡ଼ି ପରମିଟ୍‌ ଏନ୍‌ଓସି, ଗାଡ଼ି ରେଜିଷ୍ଟ୍ରେସନ୍‌ର ନବୀକରଣ ପାଇଁ ଆବେଦନ । ଏସବୁ ସେବାକୁ ଭିଜିଟ୍‌ ଲେସ୍‌ ସର୍ଭିସ ମଧ୍ୟ କୁହାଯାଉଛି ।

ସେହି ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ପରିବହନ ସେବାକୁ ଅଧିକ ସୁଦୃଢ଼ କରିବା ଲାଗି ଆରମ୍ଭ ହୋଇଥିବା ‘ଲାକ୍‌ମୀ’ ଯୋଜନାରେ ବ୍ଲକ୍‌ ତଥା ପଞ୍ଚାୟତସ୍ତରରେ ନିର୍ମିତ ୨୧ଟି ବସ୍‌ଷ୍ଟାଣ୍ଡର ଉଦ୍‌ଘାଟନ କରିବେ । ସେହିଦିନ ଆଉ ୧୨୪ଟି ନୂତନ ବସ୍‌ଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରାଯିବ ବୋଲି ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ଗଞ୍ଜାମର ପାଲୁର୍‌ ଭଳି ଛତିଆ ଏବଂ ବଣେଇରେ ଦୁଇଟି ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ ହୋଇସାରିଛି । କେନ୍ଦୁଝରରେ ଆଉ ଏକ ଡ୍ରାଇଭିଂ ଇନଷ୍ଟିଚ୍ୟୁଟ୍‌ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏହି ଚାରିଟିଯାକ ଇନ୍‌ଷ୍ଟିଚ୍ୟୁଟ୍‌ରେ ୫୦ ହଜାର ଡ୍ରାଇଭରଙ୍କୁ ମାଗଣାରେ ତାଲିମ୍‌ ଦିଆଯିବ । ୮ହଜାର ୪୦୦ ଡ୍ରାଇଭରଙ୍କୁ ରିଫ୍ରେସ୍‌ମେଣ୍ଟ ଟ୍ରେନିଂ କୋର୍ସ ଦିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

Leave a comment