ନିଦରୁ ଉଠୁନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ

0

ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ସୂଚନା ଦେଇଛି ଇସ୍ରୋ ।

ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ବି ଜାରି ରହିବ।

ପୃଥିବୀ ସମୟ ଅନୁସାରେ ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ସହ୍ୟ କରିବା କାଠିକର ପାଠ। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ। କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରିଦିଆଯାଇଥିଲା।

ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।

ଯଦି ଅସହ୍ୟ ଥଣ୍ଡା ତାପମାତ୍ରାରେ ଯନ୍ତ୍ରପାତି ଠିକ୍‌ ଥିବ, ତା’ ହେଲେ ଲ୍ୟାଣ୍ଡର ବିକ୍ରମ ସିଗନାଲ ଦେଇପାରେ । ନଚେତ କିଛି କୁହାଯାଇ ପାରିବିନ । ଲ୍ୟାଣ୍ଡର ବିକ୍ରମ ନିଦରୁ ଉଠିଲେ ପୁଣି ଥରେ ଅନୁସନ୍ଧାନ ଜାରି ରହିବ ବୋଲି ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି।

Leave a comment