ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ୍ଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୧୦ଟାଠାରୁ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ୬୦ଘଣ୍ଟିଆ ସଟ୍ଡାଉନ୍ ଉଠିଯାଇଛି।
ସୂଚନା ଅନୁଯାୟୀ,ବାଲେଶ୍ବର ଜିଲ୍ଲାରୁ ସଟ୍ଡାଉନ୍ ଉଠିଯାଇଥିଲେ ବି ବାଲେଶ୍ୱର ସହର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୭ ଦିନ ବଢ଼ିଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ଏସଂପର୍କିତ ଏକ ବିଜ୍ଞପ୍ତି ଜାରି କରି ଜିଲ୍ଲା ପ୍ରଶାସନ କହିଛି, କଣ୍ଟେନମେଣ୍ଟ ଜୋନ ଅବଧି ମେ’ମାସ ୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ବାଲେଶ୍ୱର ସହର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୭ ଦିନ ବଢ଼ିଛି ।
ସେହିପରି ସଟ୍ଡାଉନ୍ ଉଠିଯାଇଥିଲେ ବି ଭଦ୍ରକ ଜିଲ୍ଲାରେ ଥିବା ୧୮ଟି କଣ୍ଟେନମେଣ୍ଟ ଜୋନରେ ଏହା ବଳବତ୍ତର ରହିଛି। ଭଦ୍ରକରେ ଦୋକାନ ବଜାର ଖୋଲିଛି, କିନ୍ତୁ ସେଠାରେ ଗହଳି ପରିଲକ୍ଷିତ ହୋଇନାହିଁ । ଭଦ୍ରକରେ ସକାଳ ୬ଟା ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା ରହିବ ବୋଲି ଜଣାଯାଇଛି। ସର୍ତ୍ତମୂଳକ ଭାବେ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନ ଖୋଲିବାକୁ ନିର୍ଦେଶ ଦିଆଯାଇଛି।
ଅପରପକ୍ଷରେ ଯାଜପୁର ଜିଲ୍ଲାର ସମସ୍ତ କଣ୍ଟେନମେଣ୍ଟ ଜୋନରେ ସଟଡାଉନ୍ ବଳବତ୍ତର ରହିଛି। ଯାଜପୁରରେ ୨ଟି ପର୍ଯ୍ୟାୟରେ ଦୋକାନ ଖୋଲିବ । ସକାଳ ୬ଟାରୁ ଦିନ ୧୦ ଟା ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୭ଟା ଦୋକାନ ଖୋଲିବ ବୋଲି ଜଣାଯାଇଛି।