ପାସପୋର୍ଟ ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡିବନି

ଓଡିଶା ଫାଷ୍ଟ(ବ୍ୟୁରୋ): ପାସପୋର୍ଟ ଯାଞ୍ଚ କରୁଥିବା ଥାନା ଅଧିକାରୀ ଆବେଦନକାରୀଙ୍କୁ ବିଭିନ୍ନ କାଗଜପତ୍ର ମାଗିବା ସହ ଥାନାକୁ ବାରମ୍ବାର ଡକାଇ ହଇରାଣ କରୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଗତ ଜୁନ ୧ରୁ ପୁଲିସ ପାସପୋର୍ଟ ଯାଞ୍ଚ ପାଇଁ ଏକ ନୂତନ ଫର୍ମ ଜାରି କରିଛନ୍ତି । ଯେଉଁଥିରେ ପାସପୋର୍ଟ ଆବେଦନକାରୀଙ୍କ ଠିକଣା, ଫଟୋ ଆଟେଷ୍ଟ ଓ ଦସ୍ତଖତ ଆଦି ଯାଞ୍ଚ କରିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । ଯାହାଦ୍ୱାରା ଥାନା ଅଧିକାରୀ ଆଉ ଆବେଦନକାରୀଙ୍କୁ କାଗଜପତ୍ର ମାଗିବା ବାହାନାରେ ହଇରାଣ କରିପାରିବେନାହିଁ । ପାସପୋର୍ଟ ପାଇଁ ପୁଲିସ କେବଳ ଆବେଦନକାରୀଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରିବ । ତେଣୁ ଆବେଦନକାରୀଙ୍କୁ ପାସପୋର୍ଟ ଯାଞ୍ଚ ପାଇଁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ । ଯଦି ଆବଶ୍ୟକ ହୁଏ ତେବେ ଥାନା ଅଧିକାରୀ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ କରିବେ । ସେଥିପାଇଁ ପାସପୋର୍ଟ ଯାଞ୍ଚ କରୁଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ତରଫରୁ ଅର୍ଥ ପ୍ରଦାନ କରାଯିବ ।
ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ, ଡିସିପିଙ୍କ କାର୍ଯ୍ୟାଳୟରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା କର୍ମଚାରୀଙ୍କ ମଧ୍ୟରେ ପାସପୋର୍ଟ ପାଇଁ ପୁଲିସ ରିପୋର୍ଟ କିପରି ଠିକ୍ ହୋଇପାରିବ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଓ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ନୂତନ ଭାବରେ ହୋଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ଅନୁପ ସାହୁ ନିର୍ଦେଶ ଦେଇଛନ୍ତି ।