କରୋନା ପାଇଁ ବଡ଼ଗଡ଼ ହାଟରେ ଅମରେଶ ତିଆରି କଲେ ପ୍ରଥମ ସାମାଜିକ ଦୂରତ୍ୱ ପିଣ୍ଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାବାସୀ ନିଜ ଘରେ ରୁହନ୍ତୁ । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ବାହାରନ୍ତୁ । ସେଥିପାଇଁ ସମଗ୍ର ରାଜ୍ୟରେ କାଲି ରାତିଠାରୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଲକଡାଉନ ବା ତାଲାବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ଅଛି । ମାତ୍ର ଏହିସବୁ ସ୍ଥାନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ବିଶେଷ କରି ହାଟରେ । ଆଜି ବଡ଼ଗଡ଼ ହାଟକୁ ଏକ ବିଶେଷ କାର୍ଯ୍ୟରେ ଆସିଥିଲେ ପୂର୍ବତନ ସ୍ଥାନୀୟ କର୍ପୋରେଟର ଅମରେଶ ଜେନା(ବାଇଁଆ) । ବାଇଁଆ ହାଟର ଅବସ୍ଥା ଦେଖି ଚିନ୍ତିତ ହୋଇପଡିଥିଲେ । ରାଜ୍ୟ ସରକାର ଯେଉଁଠି ଏକ ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଜମା ହେବାକୁ ବାରଣ କରିଥିବା ସତ୍ତ୍ୱେ ସେଠାରେ ପ୍ରବଳ ଜନଗହଳି ଦେଖି ଚିନ୍ତିତ ହୋଇଉଠିଥିଲେ ।

ବାଇଁଆ ତୁରନ୍ତ କିଛି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାରଙ୍କ ସାମାଜିକ ଦୂରତ୍ୱ ବ୍ୟବସ୍ଥା ଅନୁଯାୟୀ ସେଠାରେ ପିଣ୍ଡି ପାଇଁ ଚିହ୍ନ ଦେଇଥିଲେ । ଫଳରେ ବ୍ୟବସାୟୀମାନେ ଜଣେ ଅନ୍ୟ ଜଣଙ୍କ ଠାରୁ ଅତି କମରେ ଏକ ମିଟର ଦୂରତାରେ ରହିବେ । ବାଇଁଆଙ୍କ ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି ।

ସେହିପରି ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ଭାବେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସମାନକୁ ରେଳଷ୍ଟେସନ ନିକଟରେ ଦୁଇଦିନ ତଳେ ବାଇଁଆ ଖାଦ୍ୟ ବଣ୍ଟନ କରିଥିଲେ ।