ବଡ଼ ଖବର: ଟିକା ନେଇ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ୟାକ୍ସିନ ନେଇ ନୂଆ ଘୋଷଣା କରିବା ପରେ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଫଳରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ମଧ୍ୟରେ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ତାହା ରାଜ୍ୟ ନିର୍ଣ୍ଣୟ କରିବ। ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ ଓ ଟିକାକରଣ ଦେଖି ଟିକା ବଣ୍ଟନ କରାଯିବ। ଯେଉଁ ରାଜ୍ୟ ଅଧିକ ଟିକା ଅପଚୟ କରିଥିବ ତାକୁ କମ୍ ଟିକା ଯୋଗାଯିବ। ରାଜ୍ୟମାନଙ୍କୁ କେଉଁ ଦିନ କେତେ ଟିକା ଦେବ ତାହା କେନ୍ଦ୍ର ଆଗୁଆ ଜଣାଇବ। ରାଜ୍ୟମାନେ ମଧ୍ୟ ନିଜ ନିଜ ଜିଲ୍ଲାକୁ ଆଗୁଆ ଜଣାଇଦେବେ। ଟିକା ଉତ୍ପାଦକମାନେ ଘରୋଇ ହସ୍ପିଟାଲକୁ ସିଧାସଳଖ ଟିକା ଦେଇପାରିବେ। ମାସିକ ଉତ୍ପାଦନର ସର୍ବାଧିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକା ହସ୍ପିଟାଲକୁ ଦେବେ। ଟିକା କମ୍ପାନୀ ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ଘରୋଇ ହସ୍ପିଟାଲ ନେବେ। କାହାର କେତେ ଆୟ ନ ଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। ଆର୍ଥିକ ସ୍ୱଚ୍ଛଳବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପ୍ରବର୍ତ୍ତାଯିବ। କୋୱିନ୍ ସହ ଅନସାଇଟ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ମଧ୍ୟ କରାଯିବ। ପ୍ରି ବୁକିଂ ପାଇଁ କମ୍ ସର୍ଭିସ ସେଣ୍ଟର ଓ କଲ୍ ସେଣ୍ଟରକୁ ଲଗାଯିବ। ଏଥିସହିତ ନୂଆ ଗାଇଡଲାଇନ ଜୁନ୍ ୨୧ରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।