ନିର୍ବାଚନରେ ପରାସ୍ତ ହୋଇନଥିବା କରୁଣାନିଧି , ହାରିଗଲେ ଜୀବନ ସଂଗ୍ରାମରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ସେ ୧୧ ଦିନ ହେଲା ହସ୍ପିଟାଲ୍ରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।
ସୂଚନା ଅନୁଯାୟୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧି ୧୧ ଦିନ ହେଲା ଲଢ଼ୁଥିବା ଜୀବନ ସଂଗ୍ରାମ ରେ ହାରିଗଲେ । କାବେରୀ ହସ୍ପିଟାଲ ରେ ସନ୍ଧ୍ୟା ୬ଟା ୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ଠାରୁ ଦ୍ରୁତଗତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଅବନତି ପରିଲକ୍ଷିତ ହେଉଥିଲା । ଏ ଖବର ପ୍ରଚାର ହେବା ମାତ୍ରେ ହସ୍ପିଟାଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ ବଢ଼ିବାରେ ଲାଗିଥିଲା । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ହସ୍ପିଟାଲ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହା ପରେ କରୁଣାନିଧିଙ୍କ ଦେହାନ୍ତ ଖବର ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଥିଲା । କରୁଣାନିଧିଙ୍କ ଦେହାନ୍ତ ଖବର ଶୁଣିବା ପରେ ସେଠାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା ଅାଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଚେନ୍ନାଇ ସହରରେ ୬ହଜାର ୫ଶହ ପୁଲସ ମୁତୟନ କରାଯିବା ସହ ସବୁ ଜିଲ୍ଲାର ଏସପି ଓ ପୁଲିସ କମିଶନରମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଅାଯାଇଛି।
୧୯୨୪ ମସିହା ଜୁନ୍ ୩ରେ କରୁଣାନିଧି ଜନ୍ମ ଗ୍ରହଣ କରିଥିଲେ। ୧୯୫୭ରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କରୁଣାନିଧି ୫ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ନିଜ ଜୀବନ କାଳ ଭିତରେ କେବେ ହେଲେ ନିର୍ବାଚନରେ ପରାସ୍ତ ହୋଇନଥିବା ରେକର୍ଡର ମଧ୍ୟ ଅଧିକାରୀ । କରୁଣାନିଧି ୧୯୬୯ରେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୫ମ ତଥା ଶେଷ ଥର ପାଇଁ କରୁଣାନିଧି ୨୦୦୬ ମସିହା ମେ ୧୩ରୁ ୨୦୧୧ ମସିହା ମେ ୧୫ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ ।
ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି ।