କୃଷିଜାତ ସାମଗ୍ରୀ ପରିବହନରେ ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ନିବାସରୁ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।
ଲକ୍ ଡାଉନ୍ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି କରୋନା ସଂକ୍ରମଣ ନିୟମନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ନିୟୋଜିତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ,ବଂ ସର୍ବୋପରି ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬୦୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଦକ୍ଷିଣ ଓଡ଼ିଶାର ଏମକେସିଜିରେ କୋଭିଡ ପରୀକ୍ଷଣ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ଅର୍ଥାତ୍ ଅପ୍ରେଲ ୧୬ ତାରିଖ ସୁଦ୍ଧା ବୁର୍ଲାର ଭିମାସାରରେ କୋଭିଡ ପରୀକ୍ଷା ସୁବିଧା ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଇ,ଜି.ଏଚ୍ ରାଉଲକେଲାରେ କୋଭିଡ ପରୀକ୍ଷଣ ଆରମ୍ଭ କରାଯାଇଥିବା ବିଷୟ ବୈଠକରେ ସୂଚନା ଦିଆଯାଇଥିଲା ।
କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ନିୟୋଜିତ ପୋଲିସ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନୃ ସମସ୍ତଙ୍କୁ ଏ ସଂକ୍ରାନ୍ତରେ ସର୍ବୋତମ ତାଲିମ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇସାରିଛି ।
ଏହି ସମୟରେ ପାରିବାରିକ ହିଂସା ମଧ୍ୟ ଚିନ୍ତାର ବିଷୟ । ତେଣୁ ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ଫୋନ କଲ ଜରିଆରେ ଅଭିଯୋଗକାରୀ ମାନଙ୍କ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଛନ୍ତି ।