କ୍ୟାପିଟାଲ ହସପିଟାଲରେ ପିଜି ଆଇଏମଇଆର ପାଠ୍ୟକ୍ରମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କ୍ୟାପିଟାଲ ହସପିଟାଲରେ ପିଜି ଆଇଏମଇଆର ପାଠ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡାକ୍ତରୀ ଛାତ୍ରଙ୍କ ସହ ବାର୍ତ୍ତାଳାପ କଲେ ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଥିଲେ ଉପସ୍ଥିତ। କ୍ୟାପିଟାଲ ହସପିଟାଲରେ ଚଳିତ ବର୍ଷରୁ ଆରମ୍ଭ ହୋଇଛି ପିଜି ପାଠ୍ୟକ୍ରମ। ୬ଟି ସ୍ପେଶାଲ ଏମଏସ ଏବଂ ଏମଡି ଆରମ୍ଭ ହୋଇଛି।
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଆରମ୍ଭ ହୋଇଛି। ଚଳିତ ବର୍ଷଠାରୁ ଏଠାରେପିଜି ଆଇଏମଇଆର ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଏହି ପାଠ୍ୟକ୍ରମ ଆରମ୍ଭ ହେବା ଅବରସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ କ୍ୟାପିଟାଲ ହସପିଟାଲରେ ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ମୋଟ ୧୫ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ଅନୁମତି ପ୍ରଦାନ କରାଯାଇଛି। ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ ଏମଏସ / ଏମଡି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି ବୋଲି କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨, ଶିଶୁରୋଗ ବିଭାଗରେ ୪, ଶ୍ବାସରୋଗ ବିଭାଗରେ ୩ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏଠାରେ ବିଭିନ୍ନ ସ୍ବତନ୍ତ୍ର ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି।