ବେନାମୀ ଚିଠି ଖୋଲିଲା ପୁଞ୍ଜିଲାଲଙ୍କର ପାଞ୍ଜି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ଦୁଇ ମାସ ଧରି ଦିନରାତି ଏକ କରି ଦେଇଥିଲା ପୋଲିସ ଅପରାଧୀକୁ ଧରିବାପାଇଁ ଶେଷରେ ଧରପଡ଼ିଲା ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର। ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ଆଇନ ଆଗରେ ଛୋଟ। ପାର୍ସଲ ବୋମାର ରହସ୍ୟ ଜାଣିବାକୁ ସମଗ୍ର ଓଡ଼ିଶା ବାସୀ ଉତ୍କଣ୍ଠା ର ସହ ଚାହିଁ ବସିଥିବା ବେଳେ ଏହାର ଆଜି ଖୁଲାସ କରିଛନ୍ତି ଖୋଦ ଡିଜିପି ଆର ପି ଶର୍ମା।ପ୍ରାଥମିକ ତଦନ୍ତରୁ ପୋଲିସ ନିରାଶ ହୋଇ ବସି ଥିବାବେଳେ ଏକ ବେନାମୀ ଚିଠି ହିଁ ପୂରା ରହସ୍ୟ ଉପରୁ ପରଦା ଉଠାଇଥିଲା ।
ବଲାଙ୍ଗିର ଏସପିଙ୍କ ନିକଟକୁ ଆସିଥିଲା ଏକ ବେନାମୀ ଚିଠି । ଚିଠିରେ ଲେଖା ଥିଲା ଯେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୋଲିସ ଅପରାଧୀକୁ ନଧରି ଅଯଥାରେ ସାଧାରଣ ଲୋକଙ୍କୁ ହଇରାଣ କରୁଛି । ସାଧାରଣ ଲୋକଙ୍କ ପଛରେ ପଡିଲେ ପ୍ରକୃତ ଅପରାଧୀ ଖସିଯିବେ।
ପୋଲିସ ଜେରା କରିଥିବା ସମସ୍ତ ସନ୍ଦେହକାରୀଙ୍କ ହ୍ୟାଣ୍ଡ ରାଇଟିଂ ଓ ଚିଠିର ହ୍ୟାଣ୍ଡ ରାଇଟିଂ ମେଳ କରିଥିଲା । ଆଉ ଚିଠିର ହସ୍ତାକ୍ଷର ପୁଞ୍ଜିଲାଲ ମେହେରଙ୍କ ହସ୍ତକ୍ଷର ସହ ମେଳ ଖାଇଥିଲା । ଏପରିକି, ଚିଠିଟି ପଠାଯାଇଥିବା ପୋଷ୍ଟ ଅଫିସ ନିକଟରେ ସେହି ତାରିଖରେ ପୁଞ୍ଜିଲାଲଙ୍କ ଫୋନ ଲୋକେସନ ଥିବାରୁ ଏହା ଅଧିକ ସ୍ପଷ୍ଟ ହୋଇଯାଇଥିଲା ।
ବିସ୍ଫୋରଣ ହୋଇଥିବା ପର୍ସଲ ବୋମାରେ ଓଡିଆ ଖବରକାଗଜ ବ୍ୟବହାର ହୋଇଥିବାରୁ କ୍ରାଇମବ୍ରାଂଚ ଏଦିଗରେ ଛାନଭିନ କରିଥିଲା । ତେଣୁ ମାମଲାରେ ସ୍ଥାନୀୟ ସଂପୃକ୍ତି ନେଇ ସନ୍ଦେହ ବଢିଥିଲା ।
ପୋଲିସ ଜବତ କରିଥିବା ପୁଞ୍ଜିଲଲଙ୍କ ଲାପଟପରୁ ମିଳିଥିଲା ପାର୍ସଲ ବୋମା ତିଆରି ଭିଡ଼ିଓ , ତାଙ୍କ ଘରୁ ମିଳିଥିବା ଅଧ ବ୍ୟାଗ ବାରୁଦ ଓ ବେନାମୀ ଚିଠି ହିଁ ଖୋଲି ଦେଇଥିଲା ମୁଖ୍ୟ ଖଳନାୟକ ପୁଞ୍ଜିଲାଲଙ୍କ ପାଞ୍ଜି ।