ମୁସଲିମ୍‌ ପକ୍ଷଙ୍କ ଆବେଦନକୁ ହାଇକୋର୍ଟ ଝଟକା, ଜ୍ଞାନବାପୀରେ ଜାରି ରହିବ ASI ସର୍ଭେ

0

ବାରଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ଜ୍ଞାନବାପୀ ମସଜିଦର ASI ସର୍ଭେ ଜାରି ରଖିବା ପାଇଁ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ନ୍ୟାୟ ହିତରେ ଏଏସଆଇ ସର୍ଭେର ଆବଶ୍ୟକତା ରହିଥିବା ଆହ୍ଲାବାଦ ହାଇକୋର୍ଟ କହିଛନ୍ତି । ଅନ୍ୟପଟେ ଏହାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ଜିଲ୍ଲା ଜଜ୍ ଏ.କେ ବିଶ୍ୱଶ ଶୁକ୍ରବାର ଦିନ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ୪ ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ କରିବାକୁ ପଡିବ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଟିମ୍‌ ସୋମବାର ଦିନ ସର୍ଭେ କରିବା ପାଇଁ ଜ୍ଞାନବାପୀ ମସଜିଦ୍‌ରେ ପହଞ୍ଚିଥିଲା । କିନ୍ତୁ ମୁସଲିମ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଦୁଇ ଦିନ ପାଇଁ ସର୍ଭେ ଉପରେ ରୋକ ଲଗାଇଥିବା ବେଳେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ମୁସଲିମ ପକ୍ଷ ହାଇକୋର୍ଟରେ ମାମଲା ନେଇ ଆବେଦନ କରିଥିଲେ । ଶୁଣାଣି ପରେ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave a comment