ପୌର ର୍ନିବାଚନ ପୂର୍ବରୁ ବରିଷ୍ଠ ମନ୍ତ୍ରୀଙ୍କ ଅଙ୍କକସାକୁ ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ର୍ନିବାଚନ ତାରିଖ ଘୋଷଣା ହୋଇନାହିଁ । ମାତ୍ର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଅଙ୍କକସାକୁ ନେଇ ଚର୍ଚ୍ଚା ଜୋରଧରିଛି । ଏବେଠୁ ତିଆରି ହେଲାଣି ତାଲିକା । ବିଏମ୍‍ସି ନିର୍ବାଚନରେ କର୍ପୋରେଟ ଟିକଟ ଆଶାୟୀଙ୍କ ଠାରୁ କେମିତି ମୋଟା ଅଙ୍କର ଅର୍ଥ ହଡପେଇବେ ସେହି ଆଶାରେ ତାଙ୍କୁ ଆଉ ନିଦ ହେଉନାହିଁ । ଗତଥର ନିର୍ବାଚନ ସମୟରେ ମୁହଁରେ ଲାଗିଥିବା ମହୁର ମିଠା ଏପର୍ଯ୍ୟନ୍ତ ଛାଡି ନଥିବାରୁ ମନ୍ତ୍ରୀ ଜଣକ ଏବେ ଦିନରାତି କାଲକୁଲେଟର ଧରି ହିସାବରେ ମାତିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏଥର ବିଏମ୍‍ସି ନିର୍ବାଚନରେ କର୍ପୋରେଟ ଟିକଟ ବାଣ୍ଟିବାପାଇଁ ମନ୍ତ୍ରୀ ଜଣକ ଏବେ ଠାରୁ ଗୋଟି ଚାଳନା ଆରମ୍ଭ କରିଛନ୍ତି । ନିଜ ନିଜର ଚେଲା ଚାମୁଣ୍ଡାଙ୍କ ଡାକି ଅଧିକରୁ ଅଧିକ ଲୋକେ ଯେଭଳି ତାଙ୍କ ନିକଟକୁ ଟିକଟ ପାଇଁ ଆସିବେ ସେଥିପାଇଁ ପ୍ଲଟ ତିଆରି କରୁଛନ୍ତି । ଏହି କାରବାରରେ ଜଣେ ମହିଳା କର୍ପୋରେଟର ଆଗରେ ଥିବା ସୂଚନା ମିଳିଛି । ଏହି ଚାଟୁକାରମାନେ ଲାଗିପଡି ଏବେ ପ୍ରଚାର କରୁଛନ୍ତି ଯେ ଟିକଟର ସିଂହଭାଗ ମନ୍ତ୍ରୀ ଜଣକ ବାଣ୍ଟିବେ । ସିଏ ନଚାହିଁଲେ କାହାକୁ ଟିକଟ ମିଳିବନାହିଁ । ଏପରିକି ମେୟର କିଏ ହେବ ତାହା ତାଙ୍କ ବାମ ହାତର ଖେଳ ।

ପ୍ରଚାର ବି ଜୋରସୋର ଚାଲିଛି । ଏପରିକି ଏହି ପ୍ରଚାର ମାଧ୍ୟମରେ ପୂଜା ପୂର୍ବରୁ କିଛି ମାଲ ପକେଇବା ଚକ୍କରରେ ରହିଛନ୍ତି ମନ୍ତ୍ରୀ ଜଣକ ଆଉ ତାଙ୍କର ଟିମ୍‍ । ଏଥିପାଇଁ ପ୍ରତି ୱାର୍ଡରେ ବିଜେଡି ଟିକଟ ଆଶାୟୀମାନଙ୍କୁ ନିମୟିତ ଭାବେ ଫୋନ୍‍ ଯାଉଛି । ସମସ୍ତଙ୍କୁ ଗୋଟିଏ କଥା – ଏଥର ତୁମକୁ ସୁଯୋଗ ମିଳିବ । ମୁଁ ତୁମ କଥା ଉପରେ ଜଣାଇବି । ଟିକଟ ବଣ୍ଟା ଦାୟିତ୍ୱ ମୋତେ ମିଳିଛି । ଉପରେ ନହେଲେ ବି ଭିତିରିଆ ନିର୍ଦ୍ଦେଶ ମିଳିଥିବାରୁ ମୋତେ ଫୋନ୍‍ କରିବାକୁ ପଡୁଛି । ଅନ୍ୟମାନେ ଯାହା କହୁଛନ୍ତି ତାହା ଠିକ୍‍ ନୁହେଁ । ତୁମେ ଜମା ଏପଟ ସେପଟ ହୁଅନାହିଁ ।

ପୂଜା ପରେ ଆସି ଦେଖା କର । ମନ୍ତ୍ରୀ ଜଣକଙ୍କ ଏଭଳି ଫୋନ୍‍ ପାଇଲାପରେ କିଛି କର୍ପୋରେଟର ଆଶାୟୀ ଏବେ ଦର୍ଶନ ପାଇଁ ଦଉଡିବାରେ ଲାଗିଛନ୍ତି । ଗତ ନିର୍ବାଚନରେ ମନ୍ତ୍ରୀ ଜଣକ ଏହି ଫୁର୍ମଲାରେ ଭଲ ଦୁଇ ପଇସା କମେଇ ଥିବାରୁ ଏଥର ଆଗୁଆ ଭାବେ ଜାଲ ପକାଇବା ଆରମ୍ଭ କରିଛନ୍ତି । ଆଶାୟୀ କର୍ପୋରେଟରମାନେ ବି ଏବେ ଠାରୁ ମନ୍ତ୍ରୀଙ୍କ ଠାର ବୁଝି ପଇସା ସଞ୍ଚିବାରେ ଲାଗିଛନ୍ତି । କିଛି ଟିକଟ ଆଶାୟୀ ଏଥର ପୂଜାଖର୍ଚ୍ଚ ବି କାଣ୍ଟଛାଣ୍ଟ କରୁଥିବାର ସୂଚନା ମିଳିଲାଣି । ଯେମିତି ହେଲେ ଟିକଟ ହାତେଇବା ଆଶାୟୀ ଚଣ୍ଡାଶୋକ କେତେ ଚାହୁଁଛନ୍ତି ତାହା ଜାଣିବାପାଇଁ କିଛି ଅଶାୟୀ ଏବେ ଚଣ୍ଡାଶୋକଙ୍କ ନିଜ ଲୋକ କୁହାଯାଉଥିବା ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।

ଗତ ନିର୍ବାଚନରେ ଗୋଟି ଚାଳନାରେ ସଫଳ ହୋଇ ବିଜେପି ନେତାଙ୍କ ଠାରୁ ତେଲଟାଙ୍କି ଓ ଅନ୍ୟାନ୍ୟ ସୁବିଧା ହାତେଇ ନେଇଥିବା ସରକାରୀଦଳର ଏହି ନେତା ଜଣଙ୍କ ଏବେ ଯେଭଳି ପଇସା ଖାଇବା ଚକ୍କରରେ ଅଛନ୍ତି ତାହା ଜାରି ରହିଲେ ବିଏମ୍‍ସି ନିର୍ବାଚନରେ ବିଜେଡି ମାଟି କାମୁଡି ପକାଇବ ବୋଲି ଖୋଦ୍‍ ଦଳୀୟ କର୍ମୀମାନେ କହିବା ଆରମ୍ଭ କରିଛନ୍ତି । ଏଭଳି ଗୋଟି ଚାଳନା ଦ୍ୱାରା ଚଣ୍ଡାଶୋକ କେବଳ ମାଲ କମେଇବେ ନାହିଁ ଦୁଇ ଯୁବ ବିଧାୟକଙ୍କୁ ମଧ୍ୟ ଦୁର୍ବଳ କରିବାପାଇଁ ପୂରା କ୍ଷେତ୍ର ପ୍ରସ୍ତୁତ କରୁଚନ୍ତି ବୋଲି କୁହାଯାଉଛି ।

Leave a comment