ବର୍ଷାରେ ବେହାଲ ମୁମ୍ବାଇ, ଅନେକ ଅଞ୍ଚଳକୁ ପାଣି ଓ ବିଜୁଳି ଯୋଗାଣ ଠପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ଷାରେ ଆର୍ଥିକ ମହାନଗରୀ ସ୍ଥାଣୁ ପାଲଟି ଯାଇଛି। ଦିନକ ପୂର୍ବରୁ ମୁମ୍ବାଇର ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା। ଚେମ୍ବୁରରେ କାନ୍ଥ ପଡି ଅନୁନ୍ୟ ୧୭ ଜଣ ଲୋକେ ପ୍ରାଣ ହରାଇଥିବା ବେଳେ ବିକ୍ରୋଲୀରେ ଘର ଭାସିଯିବାରୁ ଏଥିରେ ଥିବା ୬ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ଭୀଷଣ ବର୍ଷାରେ ମୁମ୍ବାଇ ଚେମ୍ବୁର ଭାରତନଗର ଅଞ୍ଚଳରେ କାନ୍ଥ ତଳେ ଦବି ପ୍ରାଣ ହରାଇଥିବା ୧୭ ଜଣଙ୍କ ଶବ ରବିବାର ଉଦ୍ଧାର କରାଯାଇଛି। ଆଦିତ୍ୟ ଠାକରେ ଚେମ୍ବୁର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତି ମୃତକଙ୍କ ପରିବାର ଲାଗି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କୁହାଯାଉଛି ପାହାଡରୁ ବର୍ଷାପାଣି ସୁଅକୁ କାନ୍ଥ ଅଟକାଇ ପାରିନଥିଲା। ପାଣି ସୁଅରେ କାନ୍ଥ ଭୂଷୁଡି ପଡିଥିବା ବେଳେ ପଛପାଖରେ ଥିବା ଘର ମଧ୍ୟ ଧସି ଯାଇଥିଲା।
ବିକ୍ରୋଲିରେ ମଧ୍ୟ ସମାନ ଘଟଣାରେ ୬ ଜଣ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି। ଘରର କାନ୍ଥ ଭୂଷୁଡି ପଡିବାରୁ ଘରେ ଥିବା ଲୋକେ ଭାସିଯାଇଛନ୍ତି। ବର୍ଷା ଯୋଗୁ ଆର୍ଥିକ ନଗରୀରେ ଟ୍ରେନ,ବସ୍ ପରିବହନ ପ୍ରଭାବିତ ହୋଇଥିବା ବେଳେ ବିସ୍ତିର୍ଣ୍ଣ ଅଞ୍ଚଳକୁ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଆହୁରି ଅଧିକ ବର୍ଷା ଲାଗି ଚେତାବନୀ ଜାରି କରିଛନ୍ତି। ଏଣୁ ତଳିଆ ଅଞ୍ଚଳ ଲାଗି ବର୍ଷା ଅଧିକ ବିପଦଜନକ ହେବାର ଆଶଙ୍କା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତ ଏଜେନ୍ସୀଙ୍କୁ ଜାଗତିଆର ରହିବାକୁ ଆଦେଶ ଦେଇଛନ୍ତି।