ମୁମ୍ବାଇରେ ହାଇଆଲର୍ଟ, ସତର୍କ କରାଇଲା ଗୋଇନ୍ଦା ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ସ ଦ୍ୱାରା ଆକ୍ରମଣ କରାଯାଇପାରେ। ଗୁଇନ୍ଦା ବିଭାଗର ସୂଚନା ପରେ ମୁମ୍ବଇ ପୁଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦେଇଛି।
ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ଏଭଳି ଆକ୍ରମଣ ହେବାର ଆଶଙ୍କା ରହିଛି। ଗୁଇନ୍ଦା ବିଭାଗର ଚିଠି ପରେ ଆଇପିସି ଧାରା ୧୪୪ ଅନୁସାରେ ଡ୍ରୋନ୍, ଲାଇଟ ଏୟାରକ୍ରାପ୍ଟ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିବ ବୋଲି ମୁମ୍ବଇ ପୁଲିସ ପକ୍ଷରୁ କୁହାଯାଇଛି।