ରକ୍ତ କଳାବଜାରୀଙ୍କୁ “ମୋ ସରକାର” ଛାଟ: ଦୁଇ ରକ୍ତଭଣ୍ଡାର ଲ୍ୟାବ ଟେକ୍ନିସିଆନ ସମେତ ୭ ଗିରଫ

ଓଡିଶା ଫାଷ୍ଟ( ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତ କଳାବଜାର କରୁଥିବା ଏକ ଗୋଷ୍ଠୀ ର ପର୍ଦାଫାସ କରିଛି ପୋଲିସ। ପ୍ରକାଶ ଥାଉକି, କଳାହାଣ୍ଡି ଜିଲ୍ଲାପାଳ ଡାକ୍ତର ଗଭାଲି ହର୍ଷଦ ପରାଗ କିଛି ଦିନତଳେ ଧର୍ମଗଡ଼ରେ ରକ୍ତ କାଲବଜାର ନେଇ ଗୁପ୍ତ ସୂଚନା ପାଇବା ପରେ ଗତ ୯ ତାରିଖ ସନ୍ଧ୍ୟାରେ ଧର୍ମଗଡ଼ ସରକାରୀ ଡାକ୍ତରଖାନା ଅଚାନକ ପରିଦର୍ଶନ କରିଥିଲେ। ଡାକ୍ତରଖାନାରେ ଭେଷଜ ବିଭାଗ ଶଯ୍ୟା ସଂଖ୍ୟା ୧୭ ରେ ଚିକିତ୍ସିତ ହେଉଥିବା ରଙ୍କାବାହଲ ଗ୍ରାମର ଜଣେ ଗରିବ ରୋଗୀ ଦ୍ରୋଣ ଦୁର୍ଗା ଙ୍କ ସ୍ତ୍ରୀ କୁନ୍ତଳା ଦୁର୍ଗା ଦୁଇ ପ୍ୟାକେଟ ରକ୍ତ ୩ ହଜାର ଟଙ୍କା ଦେଇ କିଣିଥିବା ପ୍ରକାଶ କରି ସାହାଯ୍ୟ ଭିକ୍ଷା କରିଥିଲେ। ଜିଲ୍ଲାପାଳ ତୁରନ୍ତ ରକ୍ତଭଣ୍ଡାର ପରିଦର୍ଶନ କରି ଏ ବିଷୟରେ ଏସ୍ ଡି ଏମ୍ ଓ ଙ୍କୁ ଦୋଷୀ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଖବରପାଇ କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ଏହା ଉପରେ ତନାଘନା ଆରମ୍ଭ କରିଥିଲେ।
ସୂଚନାଯୋଗ୍ୟ, ରକ୍ତ କଳାବଜାର ତଦନ୍ତ ସମୟରେ ରକ୍ତଭଣ୍ଡାରର ବରିଷ୍ଠ ଲ୍ୟାବ ଟେକ୍ନିସିଆନ ପ୍ରକାଶ କୁମାର ପଣ୍ଡା, କନିଷ୍ଠ ଲ୍ୟାବ ଟେକ୍ନିସିଆନ ରମେଶ ନାଗ, ଦୁଇଜଣ ଅଭ୍ୟାସଗତ ଟଙ୍କା ନେଇ ରକ୍ତ ଦେଉଥିବା ଯୁବକ ଉତ୍ତମ ଦାସ ଓ କୃଷ୍ଣ ଚନ୍ଦ୍ର ନାଏକ, ତିନିଜଣ ଦଲାଲ ପ୍ରତାପ ବଗର୍ତ୍ତି, ଅମ୍ବୁ ପ୍ରସାଦ ନାଏକ ଓ ଲକ୍ଷ୍ମଣ ନାଏକ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତ ସମୟରେ ଜଣାପଡିଥିଲା।
ଧର୍ମଗଡ଼ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିସହ ସମ୍ପୃକ୍ତ ସାତଜଣ ଙ୍କୁ ଧରିଥିବା କଳାହାଣ୍ଡି ଏସ୍ପି ଧର୍ମଗଡ଼ ଥାନାରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଏକ ଖବରଦାତା ସମ୍ବିଳନୀ ରେ ସୂଚନା ଦେଇଛନ୍ତି। ସେମାନଙ୍କଙ୍କ ବିରୁଦ୍ଧରେ ଧର୍ମଗଡ଼ ଥାନା କେଶ ନମ୍ବର ୨୩/୨୦ ଦଫା ୪୧୭,୪୨୦,୩୪ ଓ Section 3B of Orissa Medicare Service Persons and Medicare Service Institutions (Prevention of Violence and Damage to Property) Act, 2008. ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଉଥିବା ଜଣା ଯାଇଛି। ଅନ୍ୟଜଣେ ଦଲାଲ ନବୀନ ଖମାରି ଫେରାର୍ ହୋଇ ଯାଇଥିବାରୁ ତାକୁ ଖୋଜା ଚାଲିଛି ବୋଲି ପୋଲିସ ପ୍ରକାଶ କରିଛି।
ଏତି ମଧ୍ୟରେ ଧର୍ମଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ରଙ୍କାବାହାଲ ଗ୍ରାମ ଯାଇ ଡାକ୍ତରଖାନାରୁ ଛାଡ଼ ପାଇଥିବା ବୃଦ୍ଧ ଦ୍ରୋଣ ପରିବାର ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଚିକିତ୍ସା ସହାୟତା ପାଣ୍ଠିରୁ ତାଙ୍କର ସମସ୍ତ ଖର୍ଚ୍ଚ ବହନ ପାଇଁ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ଜିଲ୍ଲାପାଳ ଓ ଏସ୍ ପି ଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାରେ ସ୍ବେଚ୍ଛାକୃତ ରକ୍ତଦାତା ମାନେ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଆନନ୍ଦ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ,”ମୋ ସରକାର” କାର୍ଯ୍ୟକ୍ରମ ରେ ଦଲାଲ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ ପି ପ୍ରକାଶ କରିଛନ୍ତି।