ମନୋହରପୁର କୋଇଲା ଖଣିରୁ ରେଳ ପଥରେ କୋଇଲା ପରିବହନ ଆରମ୍ଭ, ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ମନୋହରପୁର ଓପିସିଏଲ କୋଇଲା ଖଣିରୁ ଆଜିଠାରୁ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳପଥ ଯୋଗେ କୋଇଲା ପରିବହନର ଉଦଘାଟନ ହୋଇଛି । ଏହି ସମୟରେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ହୋହଲ୍ଲା ଓ ଠେଲାପେଲା ହୋଇଥିଲା ।
ଏହି ସମାରୋହରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହିତ ଦୁଇ ବିଧାୟକ କୁସୁମ ଟେଟେ ଏବଂ ଭବାନୀ ଶଙ୍କର ଭୋଇ ଉପସ୍ଥିତ ରହିଥିଲେ । ଉଦଘାଟନ ସମାରୋହ ସରିଲା ପରେ ଭାଷଣ ଦେବା ସମୟରେ ମନ୍ତ୍ରୀ ସେଠାରୁ ଉଠି ଚାଲିଯିବାରୁ ଏହାକୁ ଅନ୍ୟ ଅତିଥିମାନଙ୍କର ଅପମାନ କହି ବିଜେପି ସମର୍ଥକମାନେ ପାଟିତୁଣ୍ଡ ଏବଂ ମନ୍ତ୍ରୀ ଗୋ ବ୍ୟାକ୍ ନାରା ଦେଲାପରେ ବିଜେଡି ଗୋଷ୍ଠୀ ମଧ୍ୟ ହୋହଲ୍ଲା କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟ ଠେଲାପେଲା ହୋଇଥିଲା ।
କିଛି ସମୟ ଉତ୍ତେଜନା ପରେ ପୋଲିସ ଏବଂ ନେତାଙ୍କ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡିଥିଲା । ତେବେ ଏହି ଘଟଣାରେ ଉଭୟ ରାଜନୈତିକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ ।