ବିଜେଡ଼ିକୁ ଭୋଟ ନଦେଲେ ଭତ୍ତା ଠାରୁ ଆବାସ ଯୋଜନା ଯାଏଁ ସବୁ ବନ୍ଦ: ବିଧାୟିକା ପ୍ରମିଳା ମଲିକ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିକୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ରାସନ କାର୍ଡ ଏବଂ ଅନ୍ୟାନ୍ୟ ଯୋଜନା ସବୁ ବନ୍ଦ । କିଛି ବି ଧାପେ ମିଳିବ ନାହିଁ। ଏଭଳି ସିଧାସଳଖ ଧମକ ଦିଆଯାଇଛି ଭୋଟର ମାନଙ୍କୁ । ସେ ପୁଣି ନିର୍ବାଚନୀ ସଭାରେ । ଏହି ଧମକ ଦେଇଛନ୍ତି ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ। ଯାହାକୁ ନେଇ ରାଜନୈତିକ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିରୋଧୀ ଦଳ ଏହାକୁ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଂଝାରପୁର ବ୍ଲକ୍ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘର ପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ।
ଅପରପକ୍ଷରେ ବିଧାୟିକାଙ୍କ ଧମକ ଶୁଣି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଧାୟିକା ପ୍ରମିଳା ମଲିକ ଘୋଷଣା କରିଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।