ପ୍ରତି ମାସରେ ମନ୍ତ୍ରୀ ଦେବେ ମାସିକିଆ ରିପୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ ମନ୍ତ୍ରୀମାନେ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରତିମାସ ୭ତାରିଖ ପୂର୍ବରୁ ମନ୍ତ୍ରୀମାନେ ରିପୋର୍ଟ ଦେବେ । ଏ ନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନଙ୍କୁ ପ୍ରତିମାସରେ ଏଭଳି ରିପୋର୍ଟ ଦେବାକୁ ପଡ଼ିବ । ଆସନ୍ତାମାସ ୭ତାରିଖ ମଧ୍ୟରେ ମନ୍ତ୍ରୀମାନେ ନିଜର ପ୍ରଥମ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ।
ପ୍ରକାଶ ଯେ, ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମେ’ ୨୯ରେ ମନ୍ତ୍ରିମଣ୍ଡଳ ବୈଠକ ବସି ଦଳୀୟ ଇସ୍ତାହାରରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିଲେ । ମହିଳା ସଶକ୍ତୀକରଣ, ଗରିବୀ ଦୂରିକରଣ ଏବଂ ଯୁବଗୋଷ୍ଠୀଙ୍କ ସ୍ବପ୍ନର ସଫଳ ରୂପାୟନ ସହ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏସବୁ ଦିଗରେ ବିଭିନ୍ନ ବିଭାଗ ମନ୍ତ୍ରୀମାନେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ନେଇ ମନ୍ତ୍ରୀମାନେ ପ୍ରତିମାସରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।