ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ବୃହତ୍ ଉତ୍ସବ। ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଦୀର୍ଘ ୪୯ ଦିନ ଧରି ଅନୁଷ୍ଠିତ ହେବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।
ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ୍। ସମୁଦ୍ରର ସୁ ସୁ ଶବ୍ଦ ସହ ପଞ୍ଚତାରକା ହୋଟେଲର ଅନୁଭବ ଭେଟି ଦେବ ଏହି ଅସ୍ଥାୟୀ ଟେଣ୍ଟ୍। ଆଗ୍ରହୀ ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ କଟେଜ୍, ରୟାଲ୍ କଟେଜ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି। ଏଠାରେ ରହିବା ପାଇଁ ରାତି ପିଛା ଜଣକୁ ୭ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ମୂଲ୍ୟ ବିଭିନ୍ନ ଦିନରେ ପରିବର୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ନିର୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ବରରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ୪କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିପାଇଁ ଏଯାବତ୍ ବୁକିଂ କରି ସାରିଛନ୍ତି ୧୮୪ ଜଣ ପର୍ଯ୍ୟଟକ। ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପରିବେଶ ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗଠାରୁ ଅନୁମତି ନିଆଯାଇଛି ।