ହଙ୍ଗାମାରେ ଧୋଇଗଲା ସଂସଦର ମୌସୁମି ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଂସଦ ମୌସୁମି ଅଧିବେଶନ ଆରମ୍ଭକୁ ପୂରି ସାରିଛି ୧୨ ଦିନ। ହେଲେ ପେଗାସସ୍ ଗୁଇନ୍ଦାଗିରି କେସ୍ ଓ କୃଷକ ଆନ୍ଦୋଳନ ପରି ଅନେକ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା କାରଣରୁ ସଂସଦର ଗୃହକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସଂସଦର ଉଭୟ ଗୃହରେ ଏ ପର୍ଯ୍ୟନ୍ତ ୧୦୭ ଘଣ୍ଟାରୁ କେବଳ ୧୮ ଘଣ୍ଟା କାର୍ଯ୍ୟ ହୋଇ ପାରିଛି। ଏଥିରେ କରଦାତାଙ୍କ ୧୩୩ କୋଟି ଟଙ୍କା କ୍ଷତି ଘଟିଛି।
ସଂସଦର ମୌସୁମି ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ଦୁଇ ସଦନର ଗୃହକାର୍ଯ୍ୟ ପ୍ରବଳ ହଟ୍ଟଗୋଳରେ ଧୋଇ ହୋଇ ଯାଇଛି। ମୌସୁମି ଅଧିବେଶନ ଏ ପର୍ଯ୍ୟନ୍ତ ପ୍ରାୟ ୮୯ ଘଣ୍ଟା ହଟ୍ଟଗୋଳରେ ବରବାଦ ହୋଇ ସାରିଛି। ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର ଅଛି। ରାଜ୍ୟସଭାର ଗୃହକାର୍ଯ୍ୟ ନିର୍ଦ୍ଧାରିତ ସମୟର ପ୍ରାୟ ୨୧ ପ୍ରତିଶତ ହୋଇ ପାରିଛି। ସେହି ପରି ଲୋକସଭାର ଗୃହକାର୍ଯ୍ୟ କେବଳ ୧୩ ପ୍ରତିଶତ ହୋଇ ପାରିଛି। ଲୋକସଭାରେ ୫୪ ଘଣ୍ଟାରୁ କେବଳ ସାତ ଘଣ୍ଟାରୁ କମ ସମୟ କାମ ହୋଇ ପାରିଥିବା ରାଜ୍ୟସଭାରେ ୫୩ ଘଣ୍ଟାରୁ ୧୧ ଘଣ୍ଟା ଗୃହକାର୍ଯ୍ୟ ହୋଇ ପାରିଛି।
ହଟ୍ଟଗୋଳ କାରଣରୁ ମୌସୁମି ଅଧିବେଶନର ଦ୍ଵିତୀୟ ସପ୍ତାହରେ ଗୃହର ଉତ୍ପାଦିତ ହାର ୧୩.୭୦ ପ୍ରତିଶତ ହ୍ରାସ ପାଇଛି। ପ୍ରଥମ ସପ୍ତାହରେ ଏହା ୩୨.୨୦ ପ୍ରତିଶତ ରହିଥିଲା। ଏହି ମାମଲାରେ ବିରୋଧୀଙ୍କ ଅନୁଯାୟୀ, ଗୁଇନ୍ଦାଗିରି ପ୍ରସଙ୍ଗରେ ଯେ ପର୍ଯ୍ୟନ୍ତ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀଙ୍କ ଦାବିକୁ ଖାରଜ କରି ଲୋକସଭାରେ କହି ସାରିଛନ୍ତି ଯେ, ଏହା କୌଣସି ପ୍ରସଙ୍ଗ ନୁହେଁ।