ଲେଖିକା ମନ୍ନୁ ଭଣ୍ଡାରୀଙ୍କ ପରଲୋକ

ହିନ୍ଦୀ ସାହିତ୍ୟ ଜଗତର ଜଣେ ପ୍ରସିଦ୍ଧ ଲେଖିକା ମନ୍ନୁ ଭଣ୍ଡାରୀ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ‘ଆପକା ବଣ୍ଟି’ ଭଳି ରଚନାର ରଚୟିତା । ସୋମବାର ସକାଳେ ବିଶିଷ୍ଟ ଲେଖିକା ମନ୍ନୁ ଭଣ୍ଡାରୀଙ୍କ ପରାଲୋକ ହୋଇଛି । ତାଙ୍କର ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ତମାମ ସହିତ୍ୟିକ, ସାମ୍ବାଦିକ, ଫିଲ୍ମ ଏବଂ ରାଜନୀତି ସହ ଜଡ଼ିତ ଲୋକମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ମନ୍ନୁ ଭଣ୍ଡାରୀଙ୍କ ପିତା ସୁଖ ସମ୍ପତରାୟ ମଧ୍ୟ ଜଣେ ଜଣାଶୁଣା ଲେଖକ ଥିଲେ। ମନ୍ନୁ ଭଣ୍ଡାରୀ ଏବେ ସେ ଗୁରୁଗ୍ରାମରେ ନିଜ ଝିଅ ରଚନା ଯାଦବଙ୍କ ସହ ରହୁଥିଲେ । ସେ ଅନେକ ଦିନ ଧରି ରୋଗରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଉଛି।
ମନ୍ନ ଭଣ୍ଡାରୀଙ୍କ ଝିଅ ରଚନା ଯାଦବ ଜଣେ ପ୍ରସିଦ୍ଧ ଡ୍ୟାନ୍ସର। ପିତା ରାଜେନ୍ଦ୍ର ଯାଦବଙ୍କ ମୃତ୍ୟୁ ପରେ ହଂସ ପତ୍ରିକାର ପରିଚାଳନା ଏବଂ ପ୍ରବନ୍ଧନ ରଚନା ଯାଦବ କରୁଥିଲେ। ମନ୍ନୁ ଭଣ୍ଡାରୀଙ୍କ ହିନ୍ଦୀ ସାହିତ୍ୟ ଜଗତରେ ଅନେକ ଅବଦାନ ରହିଛି। ପ୍ରସିଦ୍ଧ ନିର୍ଦେଶକ ବାସୁ ଚାଟାର୍ଜୀ ତାଙ୍କର ଏକ କାହାଣୀ ‘ୟହି ସଚ୍ ହୈ’କୁ ନେଇ ୧୯୭୪ରେ ‘ରଜନୀଗନ୍ଧା’ ଫିଲ୍ମ ତିଆରି କରିଥିଲେ ।