ମନୋଜ କଟିୟାର୍ ପରବର୍ତ୍ତୀ ଡିଜିଏମ୍ଓ ନିଯୁକ୍ତ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ କୁମାର କଟିୟାର୍ ପରବର୍ତ୍ତୀ ମିଲିଟାରୀ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ନିଯୁକ୍ତ ହୋଇଛନ୍ତି । ମେ ୧ ତାରିଖରେ ସେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ । ଏବେ ସେ ୧-କର୍ପସ୍ର ଜେନେରାଲ୍ କମାଣ୍ଡିଂ ଅଫିସର୍ ଅଛନ୍ତି । ପୂର୍ବରୁ ସେ ଆର୍ମି ହେଡ୍କ୍ୱାର୍ଟର୍ସରେ ଜେନେରାଲ୍ ଷ୍ଟାଫ୍ ଡ୍ୟୁଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ନ୍ୟାସ୍ନାଲ୍ ଡିଫେନ୍ସ ଏକାଡେମୀର ଜଣେ ଆଲୁମିନି ଲେଫ୍ଟନାଣ୍ଟ ଜେନେରାଲ୍ କଟିୟାର୍ ୧୯୮୬ ଜୁନ୍ରେ ରାଜପୁତ ରେଜିମେଣ୍ଟ୍ର ୨୩ତମ ବାଟାଲିୟନ୍ରେ କମିଶନ୍ ହୋଇଥିଲେ ।
ସେହିପରି ସେ ଏକ ଇନ୍ଫାଣ୍ଟ୍ରି ବ୍ରିଗେଡ୍ ସହିତ ୱେଷ୍ଟର୍ଣ୍ଣ ବର୍ଡର୍ସ ଓ ମାଉଣ୍ଟେନ୍ ଡିଭିଜନ୍କୁ ମଧ୍ୟ କମାଣ୍ଡ୍ କରିଥିଲେ । ନୂଆଦିଲ୍ଲୀର ନ୍ୟାସ୍ନାଲ୍ ଡିଫେନ୍ସ କଲେଜର ଛାତ୍ର ଥିବା ଲେଫ୍ଟନାଣ୍ଟ ଜେନେରାଲ୍ କଟିୟାର୍ ଆମେରିକାର ନ୍ୟାସ୍ନାଲ୍ ୱାର୍ କଲେଜର ଜଣେ ଗ୍ରାଜୁଏଟ୍ ମଧ୍ୟ । ଭୁଟାନ୍ରେ ସେ ଭାରତୀୟ ମିଲିଟାରୀ ଟ୍ରେନିଂ ଟିମ୍ ଏବଂ ୱେଲିଂଟନ୍ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଇନ୍ଷ୍ଟ୍ରକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।