ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ, ଆରୋଗ୍ୟ କାମନା କଲେ ମମତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ ହୋଇପଡିଥିବା ନେଇ ଖବର ସାମ୍ନାକୁ ଆସିଛି। ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ବୁଦ୍ଧଦେବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି। ତାଙ୍କୁ ଦକ୍ଷିଣ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନର ସ୍ତର ଖସିଯାଇଛି, ହେଲେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ବୃଦ୍ଧାବସ୍ଥା ହେତୁ ସେ କିଛି ଦିନରୁ ଅସୁସ୍ଥ ଅଛନ୍ତି। ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ଅସୁସ୍ଥତା ଖବର ଶୁଣି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଆରୋଗ୍ୟ କାମନା କରିବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି।