ଆରମ୍ଭ ହେଲା ମେକ୍‌ ଇନ ଓଡିଶା କନ୍‌କ୍ଲେଭ ଓଡ଼ିଶାକୁ ପସନ୍ଦର ପୁଞ୍ଜିନିବେଶସ୍ଥଳୀ ଭାବେ ଗଢିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବାର୍ଷିକ ବିଜ୍‌ନେସ ମେଗା ଇଭେଣ୍ଟ ‘ମେକ୍‌ ଇନ ଓଡିଶା କନ୍‌କ୍ଲେଭ’। ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଏଥିନିମନ୍ତେ ସ୍ମାର୍ଟ ସିଟି ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ହୋର୍ଡ଼ିଂ ଲାଗ ଯାଇଥିବା ବେଳେ ସେକ୍ରେଟେରିଏଟ ଓ ବିଧାନସଭାକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ଯାଇଛି ।


ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ନଭେମ୍ବର ୧୨ ତାରିଖ ଅର୍ଥାତ ଆସନ୍ତା କାଲି ସକାଳ ୧୦ଟା ୩୦ ମିନିଟରେ କନ୍‌କ୍ଲେଭ ଆରମ୍ଭ ହେବ । ଏଥିରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ । ପୂର୍ବ ଭାରତରେ ଏଭଳି ଏକ ବୃହତ୍‌ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇ ନଥିବା ବେଳେ ରାଜ୍ୟ ସରକାର ଏହାକୁ ସଫଳତାର ସହ ଶେଷ କରିବାକୁ ସମସ୍ତ ପ୍ରକାର ପ୍ରାୟସ ଜାରି ରଖିଛନ୍ତି । ଏହି କନ୍‌କ୍ଲେଭରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବେ । ଜାପାନ ଏହି କନକ୍ଲେଭର ସହଯୋଗୀ ରହିଛି । ଏଥିସହ ଏଥିରେ ଦେଶବିଦେଶର ପ୍ରାୟ ୮୦୦ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାଢେ ଚାରିଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭରେ ୧୫ଟି ବିଭାଗ ଉପରେ ବିସ୍ତୃତ ଆଲୋଚନା କରାଯିବ । ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡର ନବୀନ ଜିନ୍ଦଲ ଏବଂ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଆସନ୍ତା ୧୫ ତାରିଖ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡା ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ନେଷ୍ଟ ଆଓ୍ବେର ସିଇଓ ରାହୁଲ ଦାସ ପ୍ୟାନେଲ ଆଲୋଚନାରେ ଭାଗନେବେ । ୧୩ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଆଗୁଆ ସମାବର୍ତ୍ତନ ଉତ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମକୁ ଉଦବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । 

Leave a comment