ଦାନା ବାନ୍ଧୁଛି ଲଘୁଚାପ: ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

0

ଭୁବନେଶ୍ୱର: ଏଣେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଏହା ଭିତରେ ଆସୁଛି ପୁଣି ଏକ ଲଘୁଚାପ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ପୁଣିଥରେ ଟିଟିଲାଗଡ଼ ୪୧.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ରବିବାର ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଗକୁ ବିଶେଷକରି ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ଝାରସୁଗୁଡା ଏବଂ ସମ୍ବଲପୁର ଆଦି ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲାରେ ତାତି ଆହୁରି ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଆଜି ଝାରସୁଗୁଡା, ବଲାଙ୍ଗୀର ଏବଂ ବୌଦ୍ଧ ତାପମାତ୍ରା ୪୧.୫ ଡିଗ୍ରୀ ଲେଖାଏଁ ଥିବାବେଳେ ସମ୍ବଲପୁର ୪୧.୧, ସୁବର୍ଣ୍ଣପୁର ୪୧, ଭବାନୀପାଟଣା ୪୦.୨, ସୁନ୍ଦରଗଡ ୪୦, ଭୁବନେଶ୍ବର ୩୫.୬ ଏବଂ କଟକରେ ୩୫.୪ ଡିଗ୍ରୀ ରହିଛି । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବାବେଳେ କୋରାପୁଟ ଜିଲାର ସିମିଳିଗୁଡା ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲାରେ ବର୍ଷା ସମ୍ଭାବନା ରହିଛି।

Leave a comment