ପ୍ରେମିକରୁ ବନିବାକୁ ଯାଉଥିଲା ସ୍ୱାମୀ କିନ୍ତୁ ସାଜିଲା ହତ୍ୟାକାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ବିରିଡି ଥାନା ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଯୁବତୀ ହେଲେ ନିହାରୀକା ପାତ୍ର । ନିହାରିକ କଟକରେ ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ଗତ ୮ ତାରିଖରୁ ନିହାରୀକା ତାଙ୍କ ପ୍ରେମିକ ତଥା ଭାବିସ୍ଵାମୀ ରାଜାଙ୍କ ସହ ଅପରାହ୍ନ ୪ଟାରେ ବାହାରକୁ ଯାଇଥିଲେ । ମାତ୍ର ତାପରଠାରୁ ନିହାରୀକା ଙ୍କ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ନିହାରୀକାଙ୍କ ମୃତଦେହ ଏକ ଅଖାରେ ବନ୍ଧାହୋଇଥିବା ଅବସ୍ଥାରେ ବିଲୁଆଖାଇ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ବାଲିପାଟଣା ଥାନା ଭିଙ୍ଗାରପୁର ଗାଁର ନିହାରୀକା ପାତ୍ର କଟକ ଏମ ଏମ ମେଡିକେୟାର ନର୍ସିଂହୋମରେ କାର୍ଯ୍ୟରତ ଥିଲେ । ଗତ ୮ତାରିଖ ଅପରାହ୍ନ ୪ଟା ବେଳେ ସେ ନିଜ ପ୍ରେମିକ ତଥା ଭାବି ସ୍ୱାମୀ ରାଜାଙ୍କ ସହ ବାହାରକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ନିହାରୀକା ନଫେରିବାରୁ ନର୍ସିଂହୋମରୁ ନିହାରୀକାଙ୍କ ମୋବାଇଲ କୁ ଫୋନ ଯାଇଥିଲା ମାତ୍ର ନିହାରୀକାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା । ଏହାପରେ ରାଜାଙ୍କୁ ଫୋନ କରାଯିବରୁ ସେ ଟିକେ ହଡ଼ବଡେଇ ଯାଇଥିଲା ଓ ସେ ନିହାରୀକାକୁ ନର୍ସିଂହୋମ ପାଖରେ ଛାଡ଼ିଦେଇଥିବା କହିଥିଲା ।
ତେବେ ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ନିହାରୀକାଙ୍କ କୌଣସି ଖବର ନପାଇବାରୁ ଗତ ୯ ତାରିଖରେ ଝିଅ ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ମଙ୍ଗଳବାର ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାର ଦୋଗଛିଆ ନିକଟରୁ ଏକ ଅଖାରୁ ବନ୍ଧା ହୋଇଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ପରେ ଏନେଇ ମଧୁପାଟଣା ଥାନାକୁ ଖବର ଦିଆଯାଇଥିଲା । ଏହାପରେ ମଧୁପାଟଣା ଥାନା ପକ୍ଷରୁ ନିହାରିକାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ନିହାରିକାଙ୍କ ମାଆ, ଭଉଣୀ ଓ ଭିଣୋଇ ବିରିଡ଼ି ଥାନାରେ ପହଞ୍ଚି ତାଙ୍କ ଡ୍ରେସ୍ର ଚିହ୍ନି ଥିଲେ ।
ପୋଲିସ ତଦନ୍ତ ସମୟରେ ନର୍ସିଂହୋମ ସିସିଟିଭି ଫୁଟେଜ ଚେକ କରିଥିଲା । ଏହି ସିସିଟିଭି ଫୁଟେଜ ଅନୁଯାୟୀ ପ୍ରେମିକ ରାଜା ହିଁ ହତ୍ୟାକାରୀ ବୋଲି ସନ୍ଦେହ କରୁଥିବା ବେଳେ ରାଜା ଫେରାର ଥିବାରୁ ପୋଲିସର ସନ୍ଦେହ ଦୃଢୀଭୂତ ହୋଇଛି । ପୋଲିସ ପ୍ରେମିକର ବାପା ଓ ଭାଇଙ୍କୁ ପଚରାଉଚରା କରୁଥିବା ବେଳେ ହତ୍ୟାକାରୀ ରାଜାକୁ ଧରିବାକୁ ଉଦ୍ୟମ କରୁଛି । ରାଜାକୁ ଧରିବା ପରେ ହତ୍ୟାକାଣ୍ଡ ର ପ୍ରକୃତ ରହସ୍ୟ ସମ୍ନାକୁ ଆସିବ ।