ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ

ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା ।
ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟିପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ । ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର ।
ଏହାପରେ ସୁନାଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥ ଆଡପ ମଣ୍ଡପକୁ ବିଜେ କରିବେ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।