କରୋନାକୁ ନେଇ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଲା ଏପରି ବୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସକୁ ପ୍ରତିହତ କରିବାକୁ ଖାଲି ଲକଡାଉନ୍ କଲେ ଚଳିବ ନାହିଁ । ସଂକ୍ରମଣ ଏଡ଼ାଇବାକୁ ଜନସ୍ୱାସ୍ଥ୍ୟ ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ରବିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବିଶେଷଜ୍ଞ କହିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାଇକ୍ ରିୟାନ୍ ନାମକ ଉକ୍ତ ବିଶେଷଜ୍ଞ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେଉଁମାନେ ଅସୁସ୍ଥ, ଯେଉଁମାନଙ୍କ ଠାରେ ଏହି ଭୂତାଣୁ ସଂକ୍ରମିତ ହୋଇଛି ସେମାନଙ୍କୁ ଖୋଜି ବାହାର କରି ପୃଥକ୍ କରିବା ଉଚିତ । ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରି ଏକାନ୍ତବାସ କରାଇବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଏହା ହେଉଛି ବର୍ତ୍ତମାନର କାର୍ଯ୍ୟପନ୍ଥା ।
ସେ ଆହୁରି କହିଛନ୍ତି ଯେ ଏବେ ଜନସ୍ୱାସ୍ଥ୍ୟ ଉପରେ ପଦକ୍ଷେପ ଗ୍ରହଣ ନ କରି କେବଳ ଲକଡାଉନ୍ କରିବା ବିପଜ୍ଜନକ । କାରଣ “ଲକଡାଉନ୍’ ଉଠିଯିବା ପରେ ପୁଣି ବିପଦ ଫେରିଆସିବାର ସମ୍ଭାବନା ରହିଛି । ରିୟାନ୍ ଆହୁରି କହିଛନ୍ତି ଯେ କରୋନାଭାଇରସ୍ ପାଇଁ କେତେକ ଟିକା ପ୍ରସ୍ତୁତି ଚାଲିଛି । ସେଥିରୁ କେବଳ ଗୋଟିଏ ମାତ୍ର ଟିକା ଆମେରିକାରେ ପରୀକ୍ଷା କରାଯାଇଛି । ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ନିଶ୍ଚିତ ହେବା ପରେ ଯାଇ ମଣିଷ ଶରୀରରେ ପ୍ରୟୋଗ କରାଯିବ । ସେଥିପାଇଁ ବର୍ଷଟିଏ ଲାଗିପାରେ । ଟିକା ତ ପରର କଥା । ଆମେ ବର୍ତ୍ତମାନର ପରିସ୍ଥିତି ଉପରେ ଧ୍ୟାନ ଦେବା ଉଚିତ ।