ଲକଡାଉନରେ କଟିବନି କର୍ମଚାରୀଙ୍କ ଦରମା କି ଛୁଟି: ସରକାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ ଲାଗି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନ ଅଥବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, କଣ୍ଟେନମେଣ୍ଟ ଜୋନରେ ରହିବା ଯୋଗୁ ଅଫିସ ଆସି ପାରି ନଥିଲେ କିମ୍ବା ଲକଡାଉନ ଯୋଗୁ ଯାନବାହନ ଚଳାଚଳ ନଥିବାରୁ ଦପ୍ତର ପହଞ୍ଚିପାରିନଥିଲେ ସେପରି କର୍ମଚାରୀଙ୍କ ବେତନ ଅଥବା ଛୁଟି ନ କାଟିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।
କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ମୁକାବିଲାରେ କାନ୍ଧକୁ କାନ୍ଧ ମିଳାଇ ସରକାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିବା ଅନୁବନ୍ଧ କର୍ମଚାରୀଙ୍କ ଲାଗି ମଧ୍ୟ ଏହି ନିୟମ ଲାଗୁ ହେବ। ଏଣୁ ଯେଉଁ କର୍ମଚାରୀମାନେ ଏଥିପାଇଁ ସଂଶୟରେ ଥିଲେ ସେମାନଙ୍କ ସନ୍ଦେହ ଡିଓପିଟି ମୋଚନ କରିଛନ୍ତି। ଏପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଅନଡ୍ୟୁଟି ବୁଝାଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି।
କରୋନା ଦ୍ୱିତୀୟ ଲହରରେ କଣ୍ଟ୍ରାକ୍ଟ କର୍ମଚାରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସାଧାରଣ ସମୟ ହୋଇଥିଲେ କାର୍ଯ୍ୟାଳୟକୁ ନ ଆସିବା ଦିନ କଣ୍ଟ୍ରାକ୍ଟ କର୍ମଚାରୀଙ୍କ ବତେନ କଟିବା ନିୟମ ରହିଛି। ହେଲେ କୋଭିଡ ଜନିତ କାରଣ ଯୋଗୁ ସରକାର ଏଥିରେ କର୍ମଚାରୀଙ୍କୁ ଆଶ୍ୱସ୍ତ କରିଛନ୍ତି। ସେହିପରି ଅନେକ ବିଭାଗରେ କର୍ମଚାରୀମାନେ ଲକଡାଉନ, ସଟ୍ ଡାଉନ ଯୋଗୁ ଦୀର୍ଘ ଦିନ ଧରି ଅଫିସ ଯାଇ ପାରିନଥିଲେ। ଏଣୁ ସେମାନଙ୍କ ଛୁଟି କିପରି ପରିଚାଳନ କରାଯିବ ସେ ନେଇ ମଧ୍ୟ ନୂଆ ସମସ୍ୟା ଦେଖାଯାଇଥିଲା। ତେବେ ଏପରି କର୍ମଚାରୀଙ୍କ ବେତନ ଭଳି ଛୁଟି ନ କାଟିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।