କୋଲକାତା ବିମାନ ବନ୍ଦରରୁ ଜବତ ଧାତୁ କାଲିଫର୍ଣ୍ଣିୟମ ନୁହେଁ, ତୁଛା ପଥର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତ ଅଗଷ୍ଟ ୨୬ ତାରିଖ ଦିନ ଦୁଇଜଣ ଯାତ୍ରୀଙ୍କ ଠାରୁ ଜବତ ହୋଇଥିବା ଧାତୁର ସତ୍ୟତା ସୋମବାର ଜଣାପଡିଛି। ଏହା ରେଡିଓଆକ୍ଟିଭ କାଲିଫର୍ଣ୍ଣିୟମ ଅଥବା ଇରିଡିୟମ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ଏଣୁ ଏହାକୁ ନେଇ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ତାହା ପ୍ରସମିତ ହୋଇଛି।
ଗତ ୨୬ ତାରିଖ ଦିନ ବିମାନ ବନ୍ଦରରେ ୨ ଜଣ ଯାତ୍ରୀଙ୍କ ସନ୍ଦିଗ୍ଧ ଆଚରଣ ଯୋଗୁ ସେମାନଙ୍କ ବ୍ୟାଗେଜ ଯାଞ୍ଚ ହୋଇଥିଲା। ଏଥିରୁ ୪ଟି ପଥର ଭଳି ଦେଖା ଯାଉଥିବା ସାମଗ୍ରୀ ଜବତ ହୋଇଥିବା ବେଳେ ମାମଲାରେ ୨ ଯାତ୍ରୀ ଶୈଲେନ କର୍ମକାର ଓ ଅସୀତ ଘୋଷଙ୍କୁ ଅଟକ ରଖା ଯାଇଥିଲା। ଜବତ ସାମଗ୍ରୀର ସତ୍ୟତା ସ୍ପଷ୍ଟ କରିବା ଲାଗି ଭାବା ଆଣବିକ ଗବେଷଣା କେନ୍ଦ୍ରକୁ ପଠାଯାଇଥିବା ବେଳେ ଏହା କାଲିଫର୍ଣ୍ଣିୟମ ଅଥବା ଇରିଡିୟମ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି।
କାଲିଫର୍ଣ୍ଣିୟମ ଅଥବା ଇରିଡିୟମ ଶକ୍ତିଶାଳୀ ରେଡିଓଆକ୍ଟିଭ ପଦାର୍ଥ । ଏହାକୁ ଆଣବିକ ବୋମା ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇଥାଏ। ଯାହାର ୧ ଗ୍ରାମ ମୂଲ୍ୟ ହାରାହାରି ୧୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଏଣୁ ଜବତ ପଥରଗୁଡିକର ଓଜନ ଅନୁସାରେ ଏହା ଅନୁନ୍ୟ ୪,୨୫୬.୬୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।
ଏଥିରୁ ଗିରଫ ଶୈଲେନ ଶିଙ୍ଗୁରର ହୋଇଥିବା ବେଳେ ଅସୀତ ହୁଗୁଳି ଜିଲ୍ଲା ପୋଲବା ଥାନା ଅଞ୍ଚଳର। ସେମାନେ ହୁଏତ ଏହି ପଥର ମାଧ୍ୟମରେ ଲୋକଙ୍କୁ ଠକେଇ କରିବାକୁ ଚାହୁଁଥିଲେ। ଯାହାକୁ ସେମାନେ ବିମାନ ଯୋଗେ ଧରି କୋଲକାତା ବିମାନ ବନ୍ଦରରେ ଓହ୍ଲାଇଥିଲେ। ସେମାନଙ୍କଠାରୁ ଜବତ ସାମଗ୍ରୀକୁ ତରନ୍ତ ଯାଞ୍ଚ ଲାଗି ଭାବା ଆଟୋମିକ ରିସର୍ଚ୍ଚ ସଙ୍ଗଠନକୁ ପଠାଇ ଦିଆଯାଇଥିଲା। ସୋମବାର ଏହାର ରିପୋର୍ଟ ଆସିଛି।