ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଅଟୋ ଉପରେ ମାଡିଗଲା ବସ୍, ୧୩ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟପ୍ରଦେଶ ଗ୍ବାଲିୟରଠାରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ପୁରାନୀ ଛାବନୀଠାରେ ଅଟୋ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଅଛନ୍ତି । ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବଗୁଡ଼ିକୁ ବ୍ୟବଛେଦ ପାଇଁ ପଠାଇଛି ।
ସୂଚନା ମୁତାବକ ବସଟି ଗ୍ବାଲିୟରରୁ ମୁରେନା ପଟେ ଯାଉଥିଲା, କୁହାଯାଉଛି କି ମହିଳା ମାନେ ୨ ଟି ଅଟୋରେ ଯାଉଥିବା ବେଳେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା । ଫଳରେ ମହିଳାମାନେ ଗୋଟିଏ ଅଟୋରେ ଖୁନ୍ଦା ଖୁନ୍ଧି ହୋଇ ବସି ପଡ଼ିଥିଲେ । ହଠାତ କୌଣସି କାରଣରୁ ବସ୍ଟି ଅଟୋ ଉପରେ ମାଡ଼ି ଯାଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ବି ଘୋଷଣା କରିଛନ୍ତି ।