ରାଜଧାନୀରୁ ଦୁଇ ସ୍କୁଲ ଛାତ୍ରୀଙ୍କୁ କାର୍‌ରେ ଉଠାଇନେଲେ ଦୁର୍ବୃତ୍ତ, ୩ଜଣଙ୍କୁ ଗିରଫ କଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବରର ଏକ ଘରୋଇ ସ୍କୁଲ ସମ୍ମଖରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା । ଏହି ଅପହରଣ ଘଟଣା ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଘଟିଛି । ଉକ୍ତ ସ୍କୁଲ ପକ୍ଷରୁ ଏହି ଅପହରଣ ଅଭଯୋଗ ପରେ ପୋଲିସର ତତ୍ପରତା ଯୋଗୁଁ ଏକଘଣ୍ଟା ମଧ୍ୟରେ ଅପହୃତ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ୩ ଜଣ ଅପହରଣକାରୀଙ୍କୁ ଥାନାରେ ଅଟକ ରଖିଛି । ଏହି ଅପହରଣରେ ସଂପୃକ୍ତ ଥିବା କାର ଚାଳକ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

ସୂଚନା ଅନୁଯାୟୀ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀ ସ୍କୁଲ ସମ୍ମଖକୁ ଟିଫିନ କିଣିବାକୁ ଆସିଥିଲେ । ଏହି ସମୟରେ ଏକ କାର୍‌ରେ ୪ ଜଣ ସେଠାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଯୁବକ ଓହ୍ଲାଇ ଦୁଇ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ କାର୍‌ରେ ପଳାଇବାକୁ ଉଦ୍ୟମ କରୁଥିବାବେଳେ ସ୍କୁଲ ସିକ୍ୟୁରିଟି ଗାର୍ଡ ଏହାଦେଖି ଜଣେ ଅପହର୍ତ୍ତାକୁ ଧରି ପକାଇଥିଲେ । ଅନ୍ୟ ୩ ଜଣ କାର୍‌ ସହ ଦୁଇ ଛାତ୍ରୀଙ୍କୁ ନେଇ ପଳାଇଥିଲେ । ଏହାପରେ ସ୍କୁଲ୍‌ କର୍ତ୍ତୃପକ୍ଷ ଏନେଇ ଇନ୍‌ଫୋସିଟି ଥାନା ଅଭିଯୋଗ କରିଥିଲେ ।

ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚିଥିଲା । ଧରାପଡିଥିବା ଅପହର୍ତ୍ତାକୁ ଥାନାକୁ ନେଇ ପଚରାଉଚରା କରିବା ପରେ ପୋଲିସ ଅନ୍ୟ ୩ ଜଣଙ୍କ ବିଷୟରେ ସୂଚନା ପାଇଥିଲା । ସେମାନଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୋଲିସ ସ୍କୁଲଠାରୁ କିଛି ଦୂରରେ ଥିବା ଏକ ନିର୍ମାଣାଧୀନ କୋଠାରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଦୁଇ ଅପହର୍ତ୍ତାଙ୍କୁ କାବୁ କରିଥିଲା । ମାତ୍ର କାର୍‌ ଚାଳକ କାର୍‌ ନେଇ ଫେରାର ହେବାରେ ସଫଳ ହୋଇଥିଲା । ଧରାପଡିଥିବା ୩ ଅପହର୍ତ୍ତା ଉକ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି । ଫେରାର ହୋଇଯାଇଥିବା ଚାଳକ ଓ କାରକୁ ଠାବ କରିବା ପାଇଁ ପୋଲିସର ତଦନ୍ତ ଜାରି ରଖିଛି ।

Leave a comment