କେରଳ ବନ୍ୟାରେ ୨୬ ମୃତ ଅନେକ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ସାଂଘାତିକ ହେଉଛି ବନ୍ୟା ପରିସ୍ଥିତି, ପ୍ରବଲ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇ ଅନେକ କ୍ଷୟକ୍ଷତି ଘଟାଇଛି। ରବିବାର ରାତି ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି। ମୃତକ ମାନଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଜିଲ୍ଲାରୁ ହୋଇଥିବା ବେଳେ ୯ ଜଣ ଇଡ୍ଡୁକୀ ଜିଲ୍ଲାର। ବନ୍ୟା ପ୍ରଭାବିତ ଅଂଚଳରେ ୧୧ ଟି ଏନଡିଆରଏଫର ଟିମ୍ ଓ ବାୟୁ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କେରଳର ପ୍ରାୟ ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ସ୍ଥାଲପଥ ଯୋଗାଯୋଗ ବିତ୍ସିନ ହୋଇଛି। ତେବେ ଆଗକୁ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ କରିଥିବାରୁ ଚିନ୍ତା ବଢିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୨୧ଟି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ। ଅକ୍ଟୋବର ୧୮ରୁ ୨୦ ପର୍ଯ୍ୟନ୍ତ ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଅକ୍ଟୋବର ୧୮ରୁ ୨୧ ମଧ୍ୟରେ ଅରୁଣାଚଳପ୍ରଦେଶ, ଆସାମ ଓ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ମଧ୍ୟ ଗତ ୩ ରୁ ୪ ଦିନ ହେବ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ସାମୟିକ ସମୟ ପାଇଁ ବଦ୍ରୀନାଥ ଯାତ୍ରା ସ୍ଥଗିତ ରଖାଯାଇଛି।