ଏହି ସରକାର ବ୍ୟାନ କଲେ ହୁକ୍କା

କର୍ଣ୍ଣାଟକରେ ହୁକ୍କାକୁ ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର । ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର । ହୁକ୍କା ଉପରେ ବ୍ୟାନ୍ ଲଗାଇବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି ।
ଧୂମ୍ରପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଏପରି ବ୍ୟାନ୍ ଲଗାଯାଇଛି । ଅନ୍ୟପଟେ ଭବିଷ୍ୟତର ପିଢିକୁ ଏକ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ବାତାବରଣ ଦେବା ଆମ କାମ ବୋଲି କହିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ । ଏହାପୂର୍ବରୁ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ । ତା ସହିତ ତମାଖୁ ସେବନର ବୟସକୁ ମଧ୍ୟ ୧୮ରୁ ବୃଦ୍ଧି କରି ୨୧ କରିଥିଲେ କର୍ଣ୍ଣାଟକ ସରକାର ।
ସେତେବେଳେ ଏହାକୁ କର୍ଣ୍ଣାଟକର ଅନେକ ରେସ୍ତୋରାଂ ଏବଂ ବାର୍ ବିରୋଧ କରିଥିଲେ । ହେଲେ ସେ ସବୁକୁ ପଛରେ ରଖି କର୍ଣ୍ଣାଟକ ସରକାର କିନ୍ତୁ ହୁକ୍କା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଗତ ବର୍ଷ ହରିୟାଣାରେ ମଧ୍ୟ ଏପରି ନିଷ୍ପତ୍ତି ନିଆଯାଇଥିଲ । ହରିୟାଣାର ସମସ୍ତ ହୋଟେଲ, ରେସ୍ତୋରାଂ, ବାର୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ହୁକ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଉ ଏବେ କର୍ଣ୍ଣାଟକରେ ମଧ୍ୟ ଏହି ନିୟମ ଲାଗୁ ହେଇଛି ।