ଛଅଟି ଏସ୍କାଭେଟର୍ ମେସିନ୍ ପୋଡ଼ିଦେଲେ ଦୁର୍ବୃତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲାର ଅଁଳାବେରେଣି ଠାରେ ଓଟିପିସିଏଲର ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନସିପ୍ ଆବାସ ସ୍ଥଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଦୁର୍ବୃତ୍ତ ଜଳିଦେଇଛନ୍ତି ମାଟି ଖୋଳାରେ ବ୍ୟବହାର ହେଉଥିବା ଏସ୍କାଭେଟର୍ ମେସିନ୍। ଗତକାଲି ବିଳମ୍ବିତ ରାତିରେ ଏପରି କାଣ୍ଡ ଘଟିଛି। କାମରେ ଲାଗିଥିବା ୧୧ଟି ଏସ୍କାଭେଟର୍ ମେସିନ୍ ମଧ୍ୟରୁ ୬ଟି ପୁରା ପୋଡ଼ି ଯାଇଛି। ଗତକାଲି ରାତି ପ୍ରାୟ ୪ଟା ସମୟରେ କୌଣସି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ଠିକାଦାରମାନେ ସନ୍ଦେହ କରୁଛନ୍ତି। ପୋଡ଼ିଯାଇଥିବା ମେସିନ ସମ୍ପର୍କରେ ଆମକୁ ସୂଚନା ଦେଇ ଠିକାଦାର ହିମାଂଶୁ ଦାସ କହିଛନ୍ତି କୌଣସି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଛନ୍ତି। ସୂଚନା ପାଇ କାମାକ୍ଷାନଗର ଦମକଳ ବାହିନୀ ଟିମ୍ ପହଁଚି ନିଆଁ ଲିଭାଇଛି। କିନ୍ତୁ ୬ ଟି ମେସିନ୍ ପୁରା କ୍ଷତିଗ୍ରସ୍ତ ହୋଇଛି।
ଘଟଣା ସମ୍ପର୍କରେ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡିକୁ ଜଣାଯିବାରୁ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ପଣ୍ଡୁଆ ଫାଣ୍ଡି ଅଧିକାରୀ କହିଛନ୍ତି। ଓଡ଼ିଶା ଥର୍ମାଲ ପାୱାର କର୍ପୋରେସନ ଲିମିଟେଡର ନୂଆ ଏକ କାରଖାନା ଅଁଳାବେରେଣି ନିକଟରେ ସ୍ଥାପନ ପାଇଁ କାମ ଆଗେଇ ଚାଲିଛି। ଏହାକୁ ଲୋକେ ବିରୋଧ କରୁଥିଲେ। ଏହାରି ଭିତରେ ଟାଉନସିପ୍ ନିର୍ମାଣସ୍ଥଳରେ ଏପରି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି।