କାବୁଲ ବିମାନ ବନ୍ଦର ବନ୍ଦ, ଦେଶ ଛାଡିବା ଲାଗି ସୀମାକୁ ମୁହାଁଇଲେ ଆଫଗାନ ନାଗରିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଶ୍ରୁତି ମୁତାବକ ଆମେରିକା ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଖାଲି କରିଦେଇଛି। ଆମେରିକୀୟ ସୈନିକଙ୍କୁ ନେଇ ଶେଷ ବିମାନ ଉଡାଣ କରିବା ପରେ କାବୁଲ ବିମନବନ୍ଦରକୁ ଅନ୍ତର୍ଜାତୀୟ ଉଡାଣ ଲାଗି ବନ୍ଦ କରିଦିଆଯାଇଛି। ଫଳରେ ଦେଶ ଛାଡି ଯିବାକୁ ଅପେକ୍ଷା କରିଥିବା ନାଗରିକ ଏବେ ଇରାନ ଓ ପାକିସ୍ତାନ ସୀମାକୁ ମୁହାଁଇଛନ୍ତି। ସେପଟେ ଆମେରିକା ଛାଡିବା ପରେ ଦେଶର ଚରମପନ୍ଥୀ ଶାସକ ସରକାରୀ କଳକୁ ପୁଣି ଥରେ ଚାଲୁ କରିବାକୁ ଲାଗିପଡିଥିବା ବେଳେ ପଳାୟନପନ୍ଥୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ପାକିସ୍ତାନ ଖୈବରପାସ୍ ସୀମାରେ ହଜାର ହଜାର ଆଫଗାନି ଏବେ ସୀମା ପାର କରିବାକୁ ଠୁଳ ହୋଇଥିବା ଜଣାପଡିଛି। ସେହିପରି ଇରାନର ଇସ୍ଲାମ-କାଲା ବର୍ଡରରେ ମଧ୍ୟ ଆଫଗାନୀଙ୍କ ସଂଖ୍ୟା ବଢୁଥିବାର ସୂଚନା ଆସୁଛି। ଦୀର୍ଘ ଦଶକ ଧରି ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନକୁ ସଜାଡିବାକୁ ଚରମପନ୍ଥୀ ସରକାର ଏବେ ଅଣ୍ଟାଭିଡିଛନ୍ତି। ଦେଶର ବ୍ୟାଙ୍କ, ହସ୍ପିଟାଲ ଓ ସରକାରୀ ତନ୍ତ୍ରକୁ ପୁଣି ସ୍ୱଭାବିକ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ହେଲେ ଯେଉଁମାନେ କେବେ ଆଫଗାନିସ୍ତାନରେ ନିଜର ସ୍ୱପ୍ନର ନିଡ ସଜାଉଥିଲେ ଏବେ ସୀମାରେ ଅନ୍ୟ ଦେଶର ସହାୟତାକୁ ଚାହିଁ ବସିଛନ୍ତି।
ଆଫଗାନିସ୍ତାନରେ ତାଲିବାନ ଏବେ ସରକାର ଗଠନ ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଥିରେ ଅନେକ ଦେଶ ଏବେ ସେମାନଙ୍କ ସହ ସମ୍ପର୍କ କରିବାକୁ ବି ଲାଗିଲେଣି। ଏଥିରେ ଆଫଗାନିସ୍ତାନରେ ଲୋକଙ୍କ ପ୍ରତି ଆଚରଣ ଏବେ ତାଲିବାନର ଅନ୍ୟ ଏକ ଚେହେରାକୁ ଧିରେ ଧିରେ ଉଜାଗର କରୁଛି। କେଉଁଠି ତାଲିବାନ ଯୋଦ୍ଧାମାନେ ଲୋକଙ୍କ ଘରର ଖାନତଲାସ ଚାଳାଇଛନ୍ତି ତ ଆଉ କେଉଁଠି ଆମେରିକା ଆକ୍ରମଣ କାଳରେ ବିଦେଶୀଙ୍କୁ ସହଯୋଗ କରିଥିବା ଲୋକଙ୍କୁ ଖୋଜିବାରେ ଲାଗିଥିବା ଜଣାପଡିଛନ୍ତି।