ଜେଫ୍ ବୋଜେସ୍ଙ୍କ ସଫଳ ମହାକାଶ ଯାତ୍ରା

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବୋଜେସ୍ ସଫଳତାର ସହ ମହାକାଶ ଯାତ୍ରା ସ୍ୱପ୍ନକୁ ସାକାର କରିଛନ୍ତି । ବୋଜେସ୍ଙ୍କ ବ୍ୟତୀତ ଅନ୍ୟ ତିନି ମହାକାଶଚାରୀଙ୍କୁ ନେଇ ବ୍୍ୟୁ ଅରିଜିନ୍ କମ୍ପାନୀର ନ୍ୟୁ ଶେଫର୍ଡ ରକେଟ ମହାକାଶର କାମ୍ରାନ ଲାଇନ (ପୃଥିବୀ ପୃଷ୍ଠରୁ ୧୦୦ କିମି ଉଚ୍ଚ଼) ଛୁଇଁବାପରେ ପୁଣି ଆମେରିକାର ପଶ୍ଚିମ ଟେକ୍ସାସରେ ଅବତରଣ କରିଛି । ଏହି ପ୍ରକ୍ରିୟା ମାତ୍ର ୧୦ ମିନିଟ ମଧ୍ୟରେ ଶେଷ ହୋଇଥିଲା । ନିଜ କମ୍ପାନୀର ଯାନରେ ମହାକାଶକୁ ଯାତ୍ରା କରିବାରେ ବୋଜେସ ହେଉଛନ୍ତି ବିଶ୍ୱର ଦ୍ୱିତୀୟ । ବୋଜେସ୍ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ର ଏହା ହେଉଛି ପ୍ରଥମ ମହାକାଶ ଯାତ୍ରା । ଏହି ମହାକାଶ ଯାତ୍ରା ନିମନ୍ତେ ସୁଯୋଗ ପାଇଥିବା ଅନ୍ୟ ତିନିଜଣ ହେଲେ ବୋଜେସ୍ଙ୍କ ଭାଇ ମାର୍କ ବୋଜେସ୍, ଜଣେ ୮୨ ବର୍ଷୀୟା ପୂର୍ବତନ ପାଇଲଟ୍ ୱାଲି ଫଙ୍କ ଓ ତୃତୀୟ ଜଣକ ହେଉଛନ୍ତି ଟିକେଟ କାଟିଥିବା ୧୮ ବର୍ଷୀୟ ଡଚ୍ଚ ନାଗରିକ ଅଲିଭର ଡାଇମେନ । ମହାକାଶ ଯାନଟି ପୃଥିବୀପୃଷ୍ଠରୁ ୧୦୬ କିମି ଉଚ୍ଚତାକୁ (କାମ୍ରାନ ଲାଇନ୍) ଉଡିବାପରେ ପୁଣି ଧରାପୃଷ୍ଠକୁ ଫେରିଆସିଥିଲା । ଏହି ଯାତ୍ରାକାଳରେ ଚାରି ମହାକାଶଚାରୀ କିଛି ସମୟ ପାଇଁ ଜିରୋ ଗ୍ରାଭିଟି (ଶୁନ୍ୟ ମାଧ୍ୟାକର୍ଷଣ ଶକ୍ତି)ର ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ ।