ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ଦଳକୁ ଫେରିବେ ଜଗା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ଦଳକୁ ଫେରିଆସିଲେ ବିଜେପି ନେତା
ଜଗନ୍ନାଥ ପ୍ରଧାନ। ଗତକାଲି ସଂଧ୍ୟାରେ ଦଳରୁ ଇସ୍ତଫା ଦେଇଥିଲେ। ଆଜି ସେ ତାଙ୍କର ଇସ୍ତଫାପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଜଗନ୍ନାଥଙ୍କର ଯତି ପଡୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସଂଗଠନରେ ଜଗନ୍ନାଥଙ୍କର କାଟତି ସତ୍ତ୍ୱେ ଜିଲ୍ଲା ସଭାପତି ଚୟନରେ ତାଙ୍କୁ କୁଆଡ଼େ ଅଣଦେଖା କରାଯାଇଥିଲା। ଗତ ସୋମବାର ସଂଧ୍ୟାରେ ସଭାପତିଙ୍କ ସହ ତାଙ୍କର ଏକ ବୈଠକ ହୋଇଥିଲା । ସର୍ବସମ୍ମତି ଭାବେ ଜିଲ୍ଲା ସଭାପତି ଚୟନ କରିବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ । ମାତ୍ର ତାଙ୍କର ମତାମତ ନ ନେଇ ବାବୁ ସିଂଙ୍କୁ ଜିଲ୍ଲା ସଭାପତି ଚୟନ କରାଯିବା କଥାଟାକୁ ଜଗନ୍ନାଥ ସହଜରେ ଗ୍ରହଣ କରିପାରି ନ ଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି। ସଭାପତିଙ୍କ ତଥାକଥିତ ମନମାନିରେ କ୍ଷୁବ୍ଧ ହୋଇପଡ଼ିଥିବା ଜଗନ୍ନାଥ ପ୍ରଥମେ ନିଜ ଫେସବୁକ୍ ରେ ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରିଥିବା ପୋଷ୍ଟ୍ କରିଥିଲେ ।
ମାତ୍ର କିଛି ସମୟରେ ଏହାକୁ ଡିଲିଟ୍ କରିଦେଇଥିଲେ । ସଂଧ୍ୟାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ବେଳକୁ ସଭାପତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ସାରିଥିଲେ ଜଗନ୍ନାଥ । ତେବେ ରାତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଅସନ୍ତୋଷ ଦୂର କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫାପତ୍ର ଫେରାଇ ନେବାକୁ ବୁଝାଇ ଅଭିମାନ ଭାଙ୍ଗିଥିଲେ।