ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍ ହେଲା ବାର୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହଙ୍ଗା ପଡ଼ିଲା ବାରରେ ଜନ୍ମଦିନ ପାର୍ଟି କରିବା। କରୋନା କଟକଣା ଯୋଗୁଁ ଗତ ୬ ମାସ ହେବ ରାଜ୍ୟ ତଥା ଦେଶ ସଂକଟ ସ୍ଥିତି ଦେଇ ଗତି କରୁଥିବାବେଳେ ବହୁ କ୍ଷତି ସହିଛି। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇଯାଇଥିଲା। ତେବେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର କଟକଣାରେ କିଛିଟା କୋହଳ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଏଥିସହିତ ସମସ୍ତଙ୍କୁ କୋଭିଡ ଗାଇଡ ଲାଇନର ପାଳନ କରି ସୁରକ୍ଷିତ ରହିବାକୁ କୁହାଯାଇଥିଲା। ହେଲେ କେତେକ ଅମାନିଆ କୋଭିଡ ଗାଇଡ ଲାଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ବାରରେ ବାର୍ଥଡେ ପାର୍ଟି ସେଲିବ୍ରେସନ କରୁଥିଲେ।
ଭୁବନେଶ୍ୱର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାର୍ଟି ହେଉଥିଲା। ଏନେଇ ଖବରପାଇ କମିସନରେଟ ପୁଲିସ ସେଠାରେ ଚଢ଼ଉ କରି ବାରକୁ ସିଲ କରିଛି। ବାର୍ଥଡେ ପାର୍ଟି ବେଳେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା।